ଭାରତର `ଚନ୍ଦ୍ର’ ବିଜୟ

ଋଷ ଫେଲ । ଦମ୍ ଦେଖାଇଲା ଭାରତ । ମିଶନ ମୁନ ଗ୍ରାଣ୍ଡ ସକ୍ସେସ । ଆମେରିକା, ଋଷ, ଚୀନ ପରେ ଭାରତ ଲେଖିଲା ସ୍ବର୍ଣ୍ଣିମ ଇତିହାସ । ଅଗ୍ନିପରୀକ୍ଷାରେ ଇସ୍ରୋର ନୂଆ ଅଧ୍ୟାୟ । ବିଶ୍ବକୁ ଚମକାଇଲା ବିଗ୍ ମିଶନ । ୨୦୦୮ ଓ ୨୦୧୯ର ବିଫଳତାକୁ ମାତ୍ ଦେଲେ ଇସ୍ରୋ ବୈଜ୍ଞାନିକ । କଳ୍ପନାଜଳ୍ପନାର ଅବସାନ ଘଟାଇ ଇସ୍ରୋ ଆଣିଲା ବିଗ ଭିକ୍ଟରି ।
୫୪ ବର୍ଷର ଜୟଯାତ୍ରା । ଚନ୍ଦ୍ରବିଜୟୀ ଇସ୍ରୋକୁ ଐତିହାସିକ ସଫଳତା । ୧୯୬୯ରେ ଚନ୍ଦ୍ରରେ ପାଦ ଥାପିଥିଲା ଆମେରିକା । ଆଉ ସେହି ବର୍ଷ ବି ପ୍ରତିଷ୍ଠା ହୋଇଥିବା ଇସ୍ରୋର ନିରବଚ୍ଛିନ୍ନ ସଂଗ୍ରାମ ଦେଶବାସୀଙ୍କ ଲାଗି ଏବେ ହୋଇଛି ଗର୍ବର କାରଣ ।

ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ର ପ୍ରେରଣ ପରେ ପାଞ୍ଚ ଥର କକ୍ଷ ପରିବର୍ତ୍ତନ, ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ଓ ଡିବୁଷ୍ଟିଂ ପ୍ରକ୍ରିୟା ହୋଇଥିଲା ସମ୍ପନ୍ନ । ଶେଷରେ ଚନ୍ଦ୍ରପୃଷ୍ଠରେ ହୋଇଥିଲା ସଫ୍ଟ ଲ୍ୟାଣ୍ଡିଂ । ସଫଳ ହୋଇଥିଲା ସମସ୍ତ କମାଣ୍ଡ ।
ଚନ୍ଦ୍ରଯାନ ୨ର ବିଫଳତା ପରେ ବୈଜ୍ଞାନିକ ଆପଣାଇଥିଲେ ଭିନ୍ନ ପନ୍ଥା । ଲ୍ୟାଣ୍ଡରର ଲେଗଗୁଡିକୁ କରାଯାଇଥିଲା ଅଧିକ ଶକ୍ତିଶାଳୀ । ଚନ୍ଦ୍ରଯାନ-୨ରେ ଅର୍ବିଟର, ଲ୍ଯାଣ୍ଡର ଓ ରୋଭର ଥିବାବେଳେ ଚନ୍ଦ୍ରଯାନ-3ରେ ରହିଥିଲା ଲ୍ଯାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଏଥିରେ ଅଧିକ ସୋଲାର ପ୍ଯାନେଲ ରହିଥିବାବେଳେ ରହିଛି ଟ୍ରାକିଂ, ଟେଲିମେଟ୍ରି ଓ କମାଣ୍ଡ ଆଣ୍ଟେନା । ପ୍ରଜ୍ଞାନରେ ଲାଗିଥିବା ଷ୍ଟେରିଓସ୍କୋପିକ 3D ଭିଜନ କ୍ଯାମେରାରେ ଉତ୍ତୋଳିତ ହେବ ଇମେଜ ।
ଏବେ ଆସନ୍ତୁ ନଜର ପକାଇବା କାହିଁକି ସାଉଥ ପୋଲରେ ଅବତରଣ? ଚନ୍ଦ୍ରର ଦକ୍ଷିଣ ମେରୁରେ ଜଳ ଥିବା ନେଇ ନାସା ସମେତ ବହୁ ଗବେଷଣା ସଂସ୍ଥା ଦେଇସାରିଛନ୍ତି ସୂଚନା । ଏହି ଅଞ୍ଚଳ ମାଇନସ ଡିଗ୍ରୀରେ ଥିବା ସହ ସମ୍ଭାବ୍ୟ ବରଫ ଥିବା ନେଇ ଆଶାବାଦୀ ରହିଛନ୍ତି ବୈଜ୍ଞାନିକ ।


ଚନ୍ଦ୍ର ଅଭିଯାନ ଜରିଆରେ ଅନେକ ଆଶା ରଖିଛି ଇସ୍ରୋ । ଚନ୍ଦ୍ରରେ ରହିଥିବା ରାସାୟନିକ ଓ ଖଣିଜ ପଦାର୍ଥର ମ୍ଯାପିଙ୍ଗ୍, ମାଗ୍ନେସିୟମ, ଆଲୁମିନିୟମ, ସିଲିକନ, କ୍ଯାଲସିୟମ, ଆଇରନ, ଟାଇଟାନିୟମ, ୟୁରାନିୟମ ଓ ଥୋରିୟମର ଆଦି ମିଳିପାରିବ ସନ୍ଧାନ । ସେହିପରି ଭୂତତ୍ତ୍ବ ରୂପାନ୍ତରଣ, ଜ୍ବାଳାମୁଖୀ, ଧୂମକେତୁ, କ୍ଷୁଦ୍ରଗ୍ରହ, ସମୁଦ୍ର ଉତ୍ପତ୍ତି ସମ୍ପର୍କରେ ମିଳିପାରିବ ତଥ୍ଯ ।
ଚନ୍ଦ୍ର ଅଭିଯାନରେ ସଫଳତାର ଧ୍ବଜା ଲାଗି ସାରା ଦେଶରେ ଜାରିରହିଥିଲା ଅପୂର୍ବ ଉତ୍ସାହ । କେଉଁଠି ହୋମଯଜ୍ଞ ତ କେଉଁଠି ପ୍ରାର୍ଥନା । କେଉଁଠି ବି ନମାଜ ପାଠ । ମୁମ୍ବାଇରୁ ଦିଲ୍ଲୀ, କାଶ୍ମୀରରୁ ସୁରଟ । ଓଡିଶାର ଅନେକ ସ୍ଥାନରେ ବି ପ୍ରକାଶ ପାଇଥିଲା ଉଦ୍ଦୀପନା । ଶେଷରେ ସଫଳତା ସହ ଉତ୍ସୁକତାର ହୋଇଛି ଅବସାନ ।
ଚନ୍ଦ୍ରଯାନ-୨ ବିଫଳ ହେବା ପରେ ଭାରତକୁ ସମାଲୋଚନା କରିଥିବା ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଏବେ ହୋଇଛନ୍ତି ଶତମୁଖ । କହିଛନ୍ତି- ଏହା ମାନବ ଜାତି ଲାଗି ଏକ ଐତିହାସିକ ଘଟଣା । ଇସ୍ରୋର ଏହି ସଫଳତା ପରେ ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ସ୍ଥାନରେ ଏବେ ଭାରତ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!