ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ବଲାଙ୍ଗୀରର ବିକାଶରେ ନୂଆ ଇତିହାସ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇ ମାନଙ୍କର ଜଳ କଷ୍ଟ ଦୂର ହେଲା । ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ  ଏହି ପ୍ରକଳ୍ପ  ନୂଆ ଯୁଗ ଆଣିବ ।  ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ । ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର  ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ।   80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ । ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ |

  ୨୦୧୯ ମସିହାରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ ।
ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ  ରାଜ୍ୟ ଅର୍ଥନୀତିର ସାରଥି । ଚାଷୀ ଭାଇ ମାନଙ୍କୁ   ସାଥିରେ ଧରି ଆମେ ଆଗକୁ ବଢୁଛୁ  । ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା  ଚାଷୀ ଘର ପିଲାଙ୍କ ପାଇଁ ବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି ।   ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।  ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।
ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି ।  ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି  କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।
Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!