ମେଣ୍ଟ କସରତ: ଦିଲ୍ଲୀରେ ବବି-ପାଣ୍ଡିଆନ

ବିଜେଡି-ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଅଛନ୍ତି। ଆଜି ସଂଧ୍ୟାରେ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି। ଏଥିସହିତ ଶୀର୍ଷସ୍ତରରେ ଆଜି ବିଳମ୍ବିତ ରାତିରୁ ଆଲୋଚନା ଆରମ୍ଭ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ଏବଂ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମେଣ୍ଟ ଘୋଷଣା କରିପାରନ୍ତି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମେଣ୍ଟ ନେଇ ଘୋଷଣା ହେବ। ଏବେ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଅକାଳୀ ଦଳ ସହ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବଙ୍କ ଆଲୋଚନା ଚାଲିଥିବାରୁ ଗୋଟିଏ ଦିନରେ ନୂଆଦିଲ୍ଲୀରେ ତିନି ଦଳଙ୍କ ସହ ମେଣ୍ଟ ହେବା ନେଇ ଘୋଷଣା ହୋଇପାରେ ବୋଲି ବି କୁହାଯାଉଛି। ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ନୂଆଦିଲ୍ଲୀରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ବିଜେପି ରାଜ୍ୟ ସଭାପତି ଏବଂ ସଂଗଠନ ସମ୍ପାଦକ ଆଜି ବିଜେପିର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି। ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ, ସାଂସଦ ଆଶାୟୀ ବି ସାମିଲ୍ ଥିବା ଜଣାପଡ଼ିଛି। ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ବାସଭବନରେ ବିଜେପି ନେତା ଆଲୋଚନା କରଥିବା କୁହାଯାଉଛି। ଏଥିରେ ତୋମାର ରାଜ୍ୟ ବିଜେପି ନେତାଙ୍କୁ ମେଣ୍ଟ ସମୀକରଣ ବିଷୟରେ ବୁଝାଇଥିଲେ। ଆସନ ଭାଗ ବଣ୍ଟା ନେଇ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ସହ ବିଜେଡିର ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ। ବିଜେପି ଓଡ଼ିଶାରେ ୧୩ କିମ୍ବା ୧୪ଟି ଲୋକସଭା ଆସନ ଏବଂ ୪୨କିମ୍ବା ୪୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହୋଇଥିବା କହିଥିଲେ। ହେଲେ ରାଜ୍ୟ ବିଜେପି ନେତା କହିଥିଲେ, ‘ଆପଣ ଶୀର୍ଷ ନେତାଙ୍କୁ ବୁଝାନ୍ତୁ ଯେ ରାଜ୍ୟରେ ବିଜେଡି ବିରୋଧରେ ହାୱା ଥିବାରୁ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେଉ। ଆମେ ଅଧିକ ସିଟ୍ ପାଇବା ସହ ସରକାର ଗଠନ କରିବୁ। ରାଜ୍ୟରେ ମୋଦୀ ହାୱା ଅଛି, ତେଣୁ ଲୋକସଭାରେ ବି ୧୩ରୁ ଅଧିକ ଆସନ ଜିତିବୁ। ମେଣ୍ଟ କରାନଯାଉ।’ ଏନେଇ ତୋମାର ଅମଙ୍ଗ ହେବାରୁ ବିଜେପି ନେତା ପଚାରିଥିଲେ ଯେ କେଉଁ କେଉଁ ଆସନ ବିଜେପି ପାଇଁ ଛଡ଼ାଯାଉଛି ତା’ର ସବିଶେଷ ସୂଚନା ଦିଆଯାଉ। ଏହା ଜାଣିବା ପରେ ତାଲିକାରେ କିଛି ପରିବର୍ତ୍ତନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ରାଜ୍ୟ ବିଜେପି ନେତାଙ୍କ ଉତ୍ତର ଶୁଣିବା ପରେ ତୋମାର କହିଛନ୍ତି, ‘ଏବେ କେହି ଦିଲ୍ଲୀ ଛାଡ଼ି ନଯାଆନ୍ତୁ। ଆବଶ୍ୟକ ପଡ଼ିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଅନ୍ୟ ଶୀର୍ଷ ନେତୃତ୍ବ ଆଲୋଚନା କରିବେ। ଏବେ ଆପଣମାନେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି କେଉଁ ଆସନରେ ଜିତିଥିଲା, କେଉଁଠି ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଅଳ୍ପକେ ହାରିଥିଲା, ଏବେ କେଉଁଠି ବହୁତ ଭଲ ସ୍ଥିତି ଅଛି ଅଥଚ ବିଜେଡି ଭାଗରେ ସିଟ୍ ପଡ଼ୁଛି ବୋଲି ଭାବୁଛନ୍ତି ‌ତା’ର ତଥ୍ୟ ସହ ତାଲିକା ପ୍ରସ୍ତୁତ କରି ରଖନ୍ତୁ। କିନ୍ତୁ ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ସେଥିରେ ଯେପରି କେହି ଅସହମତ ବୋଲି ଦର୍ଶାଇବନି।’

Post Views88 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!