ରତ୍ନଭଣ୍ଡାର ଖୋଲିଲା ସତ, ହେଲେ ରତ୍ନଭଣ୍ଡାର ଚାବି ମିଳିଲାନି। ଯେଉଁ ଚାବି ପ୍ରଶାସନ ପାଖରେ ଥିଲା, ସେହି ଚାବିରେ ଭିତର ଭଣ୍ଡାରର ତିନିଟି ଯାକ ତାଲା ଭିତରୁ କୌଣସି ଗୋଟିଏ ବି ଖୋଲି ନଥିଲା। ଫଳରେ ଏସଓପି ଅନୁସାରେ ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଭିତର ଭଣ୍ଡାରର ତାଲା ଭଙ୍ଗାଯାଇଥିଲା। ଏପଟେ ବିଜେପି ରାଜ୍ୟ ସଭାପତି କହିଛନ୍ତି କୁଆଡ଼େ ଗଲା ଅସଲି ଚାବି? ସେ ନେଇ କମିଟି ବସିବ ଓ କାର୍ୟ୍ୟାନୁଷ୍ଠାନ ହେବ। ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି।
ଟ୍ରେଜେରୀରେ ଯେଉଁ ଚାବି ଅଛି ବୋଲି କୁହାଯାଉଥିଲା, ସେଥିରେ ଭିତର ରତ୍ନଭଣ୍ଡାରର ତାଲା ଖୋଲି ନାହିଁ। ନଖୋଲିବାରୁ ରତ୍ନଭଣ୍ଡାର ଯାଂଚ କମିଟି ସଦସ୍ୟଙ୍କ ଉପସ୍ଥିତିରେ, ସରକାରଙ୍କ ଏସଓପି ଅନୁସାରେ, ତାଲା ଗୁଡିକୁ କଟର ସାହାଯ୍ୟରେ କାଟି ଦିଆଯାଇଛି। ତାପରେ କମିଟି ସଦସ୍ୟ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ।
ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବା ପରେ ପୂର୍ବ ସରକାରକୁ ପୁଣି ଥରେ କାଠଗଡାକୁ ଟାଣିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଚାବି କିଏ ହଜେଇଲା ବୋଲି ପ୍ରଶ୍ନ କରିବା ସହ ରକ୍ଷଣା ବେକ୍ଷଣ ପାଇଁ କମିଟି ବସିବ, ତିରିଶ ଦିନ ଭିତରେ କମିଟି ରିପୋର୍ଟ ଦେବ ଏବଂ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

