ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଅବତରଣ କରିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମାରୋହର ଅନ୍ତିମ ଦିନର ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ।
ଜାନୁଆରୀ ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍ଯାପନୀ ଉତ୍ସବରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବାର କାର୍ଯ୍ୟ ସୂଚୀ ରହିଛି ।
ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଓଡ଼ିଶା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ । ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ । କାହିଁ କେତେ ବର୍ଷ ପୂର୍ବରୁ ଓଡ଼ିଶାର ବେପାରୀମାନେ ବାଲି, ସୁମତ୍ରା, ଜାଭା ଯାତ୍ରା କରୁଥିଲେ । ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି । ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବଢ଼ାଇବାକୁ ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଓଡ଼ିଶାରେ ଶାନ୍ତିର ରାସ୍ତା ବାଛିଥିଲେ । ସେଥିପାଇଁ ଆଜି ଭାରତ କହୁଛି, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ।

