କୋର୍ଟରେ ଆତ୍ମସମର୍ପଣ କଲେ  ବିଦ୍ୟାଭାରତୀ ପଣ୍ଡା

ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଭାରତୀ ପଣ୍ଡା ଅବଶେଷରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେ ଗିରଫ ହୋଇପାରନ୍ତି। ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ ଖାରଜ ହେବା ପରେ ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟ ମାମଲାରେ ଛନ୍ଦି ହୋଇଥିବା ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଗିରଫ ଭୟ ବଢ଼ିଥିଲା। ଏଣୁ ସେ କୋର୍ଟରେ ଆତ୍ମସମର୍ପଣ କରିଥିବା କୁହାଯାଉଛି।
ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବାର ଦିନକ ପରେ ସୋମବାର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଦୀର୍ଘ ପାଞ୍ଚ ବର୍ଷ ଧରି ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ନେଇ ଚର୍ଚ୍ଚାରେ ଥିବା ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଜେଲ୍‌ରେ ଥିବାବେଳେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ଘଟଣା ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି।
ଗତ ୩୧ତାରିଖରେ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ନିମ୍ନ ଅଦାଲତରେ ହାଜର ହୋଇ ଆଇନଗତ ପଦକ୍ଷେପ ନେଇଛନ୍ତି। ତେବେ ତାଙ୍କ ନିୟମିତ ଜାମିନ ଆବେଦନ ଉପରେ ଅଦାଲତଙ୍କ ନିଷ୍ପତ୍ତି ସମ୍ପର୍କିତ ତଥ୍ୟ ମିଳିବା ପରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶରୀରରେ ନିଆଁ ଲାଗିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ପରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଧାରା ୨୮୫ ଓ ୩୦୪-ଏ ଅନୁଯାୟୀ ଅଭିଯୋଗପତ୍ର ଦାଖଲ କରିଥିଲା। ତେବେ ମୃତକଙ୍କ ବାପା ଅଭିରାମ ମହାପାତ୍ରଙ୍କ ପ୍ରତିବାଦ ପିଟିସନ୍‌ର ଶୁଣାଣି କରି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତ ୨୦୨୩ ଏପ୍ରିଲ ୧୨ ତାରିଖରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ସଂଜ୍ଞାନ ଗ୍ରହଣ କରିଥିଲେ। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ପୂର୍ବରୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ଏବେ ବିଦ୍ୟାଭାରତୀ ମଧ୍ୟ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପରେ ମାମଲାର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ଉପରେ ନଜର ରହିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ‌ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ। ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ୨୦୨୬, ସେପ୍ଟେମ୍ବର ୩ରେ ହାଇକୋର୍ଟ ଖାରଜ କରିଥିଲେ। ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଏସଏଲପି ଦାୟର କରିଥିଲେ। ବିଦ୍ୟାଭାରତୀ ଆଗୁଆ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ସୁପ୍ରିମକୋର୍ଟ କହିବା ସହିତ ତାଙ୍କ ଏସଏଲପିକୁ ସେପ୍ଟେମ୍ବର ୨୮ରେ ଖାରଜ କରିଥିଲେ। ଏହାପରେ ଆତ୍ମସମର୍ପଣ ପାଇଁ ଅଧିକ ସମୟ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ପ୍ରଦାନ କରିଥିଲେ। ଅକ୍ଟୋବର ୩୦ ସୁଦ୍ଧା ଏସଡିଜେଏମ ଅଦାଲତରେ ହାଜର ହୋବକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ‌ସେପ୍ଟେମ୍ବର ୩୦ରେ ଅନୁମତି ଦେଇଥିଲେ। ଏହାପରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅକ୍ଟୋବର ୨୩ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!