ସରଗରମ ହୋଇଛି ବାରବାଟୀ-କଟକ ରାଜନୀତି। କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଏଥର ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବଦଳାଇବାକୁ ଯାଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ଛାଡି ବିଜେଡିରେ ମିଶିଥିବା ପ୍ରକାଶ ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବିଜେପି ପ୍ରାର୍ଥୀ ଘୋଷଣା କରିନି । ଆଇନଗତ ଜାଲରେ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମ ଛନ୍ଦି ହୋଇପଡିଥିବାରୁ ଏଥର ତାଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ।
ସୋଫିଆ ପ୍ରାର୍ଥୀ ହେବେ କି ନାହିଁ, ଯଦିଓ ଏନେଇ କଂଗ୍ରେସ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଇନାହିଁ, ତଥାପି ସୋଫିଆ ହିଁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ମୋକିମଙ୍କ କହିବା ଅନୁଯାୟୀ, ସୋଫିଆଙ୍କ ପ୍ରାର୍ଥିତ୍ବ ନେଇ ଦଳର କର୍ମୀମାନେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ହାଇକମାଣ୍ଡଙ୍କୁ କୁହାଯିବ । ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ଗ୍ରହଣ କରିବେ ।
ମହମ୍ମଦ ମୋକିମଙ୍କ ଝିଅ ହେଉଛନ୍ତି ସୋଫିଆ ଫିରଦୋସ। ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି ।ସୋଫିଆ ଏବେ ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ଏଥିସହ ସେ କ୍ରେଡ଼ାଇ ଭୁବନେଶରର ମଧ୍ୟ ସଭାପତି ଅଛନ୍ତି। ତେବେ ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ସୋଫିଆ ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବାପାଙ୍କ ଗଡ଼ ସମ୍ଭାଳିବା ପାଇଁ ଝିଅ ସୋଫିଆ ଏବେ ଅଣ୍ଟା ଭିଡୁଥିବା କୁହାଯାଉଛି। ଉଚ୍ଚଶିକ୍ଷିତା ତଥା ପୂର୍ବରୁ ବାପାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ସୋଫିଆ ଫିର୍ଦ୍ଦୋସ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେଲେ, ବାରବାଟୀ-କଟକରେ କଡ଼ା ଫାଇଟ୍ ହେବ ।
ବାରବାଟୀ-କଟକ ଆସନରୁ ୨୦୧୯ରେ ମୋକିମ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ। ହେଲେ ଭିଜିଲାନ୍ସ ଦୁର୍ନୀତି ମାମଲାରେ ହାଇକୋର୍ଟ ଏଥର ମୋକିମଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ମଧ୍ଯ ଆଶ୍ୱସ୍ତି ଦେଇନାହାନ୍ତି । ଏଣୁ କଟକ ବାରବାଟୀ ଆସନରୁ କଂଗ୍ରେସ ସୋଫିଆଙ୍କୁ ମୈଦାନକୁ ଓହ୍ଲାଇ ପାରେ। ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ପରେ କଟକ-ବାରବାଟୀ ଆସନରୁ ସୋଫିଆ ଫିରଦୌସଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ନିଷ୍ପତ୍ତି ହୋଇଛି । ଏ ନେଇ ଏଆଇସିସିକୁ ପ୍ରସ୍ତାବ ଦେବେ ମୋକିମ ଆଉ ଏଆଇସିସିର ଅନୁମୋଦନ ପରେ ପ୍ରାର୍ଥୀ ହେବେ ସୋଫିଆ ଫିରଦୌସ ।

