ରାଜ୍ୟରେ ସକ୍ରିୟ ହୋଇଛି ପରିବାର ବାଦ ରାଜନୀତି।ବର୍ଷୀୟାନ ରାଜନେତାଙ୍କ ପୁଅ ଅବା ଝିଅ ମାନେ ରାଜନୀତିକୁ ଆସିଥିବାବେଳେ ସ୍ଵାମୀଙ୍କ ଅପରାନ୍ତେ ସ୍ତ୍ରୀ ମାନେ ବର୍ତ୍ତମାନ ରାଜନୀତିକୁ ଓହ୍ଲାଇଛନ୍ତି। ପରିବାର ବାଦରେ ରାଜନୀତି ସକ୍ରିୟ ଥିବାବେଳେ ପ୍ରାର୍ଥୀ ମାନଙ୍କୁ ମଧ୍ୟ ବିପୁଳ ଜନ ସମର୍ଥନ ମଧ୍ୟ ମିଳୁଛି।
ଗୋଟିଏ ପଟେ ପରିବାର ବାଦ୍ ରାଜନୀତିକୁ ନେଇ ସବୁଆଡେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ତେବେ ଚାଲନ୍ତୁ ନଜର ପକାଇବା କାହାକୁ କେଉଁ ଜାଗାରୁ ମିଳିଛି ଟିକେଟ।
ପ୍ରଥମେ ଯଦି ସ୍ବାମୀ ସ୍ତ୍ରୀ ଙ୍କ ଉପରେ ନଜର ପକାଇବା ତେବେ ପାରାଦୀପରୁ ଆଗରୁ ସମ୍ବିତ ରାଉତରାୟ ବିଧାୟକ ଥିବା ବେଳେ ବର୍ତ୍ତମାନ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟ ପ୍ରାର୍ଥୀ ହୋଇଛନ୍ତି। ରଘୁନାଥପଲ୍ଲୀରେ ପୂର୍ବରୁ ସୁବ୍ରତ ତରାଇ ବିଧାୟକ ଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନା ରେଖା ବେହେରା ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ନୀତିଶ ଗଙ୍ଗ ଦେବ ସାଂସଦ ଥିବା ବେଳେ ଏଥର ତାଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀଙ୍କୁ ଦଳ ଦେବଗଡରୁ ବିଧାୟିକା ପ୍ରାର୍ଥୀ କରିଛି। ଗତ ଥର ଅନୁଗୁଳରୁ ରଜନୀ କାନ୍ତ ସିଂହ ବିଧାୟକ ଥିବା ବେଳେ ଏଥର ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି। ଆହୁରି ମଧ୍ୟ ଜୟପୁର ଆସନରୁ ଗତଥର ରବି ନନ୍ଦ ପ୍ରାର୍ଥୀ ହୋଇଥିବା ବେଳେ ଏଥର ତାଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି।
ଗୋଟିଏ ପଟେ ସ୍ଵାମୀଙ୍କ ବଦଳରେ ସ୍ତ୍ରୀ ମାନଙ୍କୁ ଟିକେଟ ମିଳିଥିବା ବେଳେ ଆଉ ଗୋଟିଏ ପଟେ ବାପାଙ୍କ ବଦଳରେ ଅନେକ ଜାଗାରେ ପୁଅ ମାନଙ୍କୁ ମଧ୍ୟ ଟିକେଟ ମିଳିଛି। ଏଥି ମଧ୍ୟରୁ ଅନେକ ଜାଗାରେ ବାପାଙ୍କ ମୃତ୍ୟୁ ପରେ ପୁଅ ଅବା ଝିଅଙ୍କୁ ଟିକେଟ ମିଳିଥିବା ବେଳେ ଅନେକ ଜାଗାରେ ବାପା ମାନେ ପୁଅ ମାନଙ୍କ ପାଇଁ ଆସନ ଛାଡ଼ି ଦେଇଛନ୍ତି। ତେବେ ସବୁଠୁ ଆଗରେ ଅଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା। ପୁଅ ଅଙ୍କିତ ପ୍ରତାପ ଜେନା କୁ ଟିକେଟ ମିଳିଥିବା ବେଳେ ବାପା ବୁଲି ବୁଲି କରୁଛନ୍ତି ପ୍ରଚାର । ଚିକିଟିରେ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରିରୁପ ଦେବଙ୍କୁ ଟିକେଟ ମିଳିଥିବା ବେଳେ ମାଆ-ପୁଅ ଦୁହେଁ ମିଶି କରୁଛନ୍ତି ପ୍ରଚାର। ତେବେ ଚୌଦ୍ଵାରରେ ମଧ୍ୟ ବାପା ପ୍ରଭାତ ବିଶ୍ଵାଳ ଓ ପୁଅ ସୌଭିକ ବିଶ୍ଵାଳ ଏକା ସାଙ୍ଗରେ ମିଶି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପାଟକୁରାରୁ ମଧ୍ୟ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ମିଳିଥିବାରୁ ସେଠାରେ ମଧ୍ୟ ଅରବିନ୍ଦ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ତେବେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡ଼ିରୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ମିଳିଥିବାରୁ ମନ୍ମଥ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଟିକେଟ ମିଳିଥିବାରୁ ବାପା – ପୁଅ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ।
ଏ ସବୁ ପରେ ବାପାଙ୍କ ଅପରାନ୍ତେ ଅବା ମୃତ୍ୟୁ ପରେ ଅନେକ ଜାଗାରେ ପୁଅ ଓ ଝିଅ ମାନଙ୍କୁ ଟିକେଟ ଦିଆ ଯାଇଛି। ପୁରୀରୁ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ଟିକେଟ ମିଳିଥିବା ବେଳେ ଦିଗପହଣ୍ଡିରୁ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ ମିଳିଛି। ସେପଟେ ବାପା ନବ ଦାସଙ୍କ ପରେ ଝିଅ ଦିପାଳୀ ଦାସଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ବାପା ବିଜୟ ରଞ୍ଜନ ସିଂ ବାରିହାଙ୍କ ପରେ ଦଳ ଝିଅ ବର୍ଷା ସିଂ ବରିହାଙ୍କୁ ଭରସା କରିଛି।
ଅନେକ ଜାଗାର ବାପାଙ୍କ ପରେ ପୁଅ ଓ ଝିଅମାନେ ନିଜର ସ୍ୱତନ୍ତ୍ର ସଂଗଠନ କରିବା ସହ ବାପାଙ୍କର ଲୋକପ୍ରିୟତାରେ ନିଜର ନୂତନ ରାଜନୀତିକ କ୍ୟାରିଅର ଆରମ୍ଭ କରିଥିବା ବେଳେ ଅନେକ ଜାଗାରେ ସ୍ଵାମୀ ମାନେ ବ୍ୟାକ ଫୁଟରେ ରହି ନିଜର ସ୍ତ୍ରୀ ପାଇଁ ନୂଆ ରାଜନୀତିକ ଫିଲ୍ଡ ତିଆରି କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା କାହାକୁ ଭରସା କରୁଛନ୍ତି ସାଧାରଣ ଜନତା ଓ କିଏ ମାରୁଛି ନିର୍ବାଚନ ବାଜି ।

