ରୋଚକ ସ୍ଥିତିରେ ବ୍ରହ୍ମଗିରି ରାଜନୀତି

ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ବ୍ରହ୍ମଗିରି। ଏହା ବ୍ରହ୍ମଗିରି ବ୍ଲକ, କୃଷ୍ଣପ୍ରସାଦ ବ୍ଲକ ଓ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତକୁ ନେଇ ଗଠିତ। ବର୍ତ୍ତମାନ ଏହାର ବିଧାୟକ ଅଛନ୍ତି ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ତେବେ ତାଙ୍କୁ ନେଇ ଚର୍ଚ୍ଚା ଯେତିକି ନାହିଁ ତାଠାରୁ ଅଧିକ ଚର୍ଚ୍ଚା ରହିଛି ସେଠାରେ ୨୦୧୯ ମସିହାରେ ପରାଜିତ ହୋଇଥିବା ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ଓ ସ୍ବର୍ଗତଃ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କର। ଦୁହେଁ ଏବେ ନିଜ ଦଳ ଛାଡି ଅନ୍ୟ ଦଳରେ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

ସଞ୍ଜୟ କୁମାର ଦାସବର୍ମା ୨୦୧୯ ମସିହାରେ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ଦେଇଥିଲେ। ତେବେ ୨୦୨୨ ମସିହାରେ ତାଙ୍କୁ ସେ ପଦରୁ ହଟାଇଦିଆଯାଇଥିଲା। ପରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଯାହାକି ବିଜେଡି ପଦଯାତ୍ରା ସମୟରେ ଦେଖିବାକୁ ମିଳିଥିଲା। ସେହିପରି ବିଜେଡି ନିଜର ପ୍ରତିଷ୍ଠା ଦିବସ ପୁରୀରେ ପାଳନ କରିଥିବାବେଳେ ଏହି ହେଭିୱେଟ ନେତାଙ୍କୁ ଯେପରି କୋଣଠେସା କରିବା ପରି ମନହେଉଥିଲା। ଦିନେ ମଞ୍ଚ ପରିଚାଳନା କରୁଥିବା ସଞ୍ଜୟଙ୍କୁ ସଭା ଉପରକୁ ଡକାଯାଇନଥିବା ଦେଖିବାକୁ ମିଳିଥିଲା। ଯାହା ଦଳ ଓ ତାଙ୍କ ମଧ୍ୟରେ ଯେ ସବୁକିଛି ଠିକଠାକ ନାହିଁ ତାହା ସ୍ପଷ୍ଟ କରୁଥିଲା। ଏହାକୁ ନେଇ ସେ ଭବିଷ୍ୟତରେ ବିଜେଡି ଛାଡି ପାରନ୍ତି ଓ ବିଜେପିରୁ ବ୍ରହ୍ମଗିରିରେ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ସ୍ବର୍ଗତଃ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଏବେ ବ୍ରହ୍ମଗିରିରେ ନିଜର ସଙ୍ଗଠନ ସୁଦୃଢ଼ କରିବାରେ ଲାଗିପଡିଛନ୍ତି। ବୟସ ହୋଇନଥିବାରୁ ୨୦୧୯ରେ ସେ ନିର୍ବାଚନ ଲଢିପାରିନଥିବାବେଳେ ଏଥର ନିର୍ବାଚନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଚାଲିଛି। ଏହାସହ ତାଙ୍କ ଦାଦା ଏବେ ବିଜେପି ବିଧାୟକ ଥିବାବେଳେ ସେ କିନ୍ତୁ ବିଜେପି ସଙ୍ଗଠନ ସହ ନୁହେଁ ବଂର ନିଜେ ନିଜର ସଙ୍ଗଠନ ଗଠନ କରୁଛନ୍ତି। ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝି ସେମାନଙ୍କ ସହ ଠିଆ ହେଉଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ସେ ହିଁ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଏହାସହ ସେ ବିଜେଡିରେ ମିଶି ଦଳୀୟ ଟିକେଟରେ ସେଠାରୁ ଲଢିପାରନ୍ତି ବୋଲି ବ୍ରହ୍ମଗିରି ସହ ରାଜ୍ୟରାଜନୀତିରେ ଚର୍ଚ୍ଚା ଚାଲିଛି।

ତେବେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗିଥିବାବେଳେ ଉପାସନା ଓ ସଞ୍ଜୟଙ୍କ ମଧ୍ୟରେ ଯେ ଫାଇଟ ହେବ ତାହା ସ୍ପଷ୍ଟ। ତେବେ ସଞ୍ଜୟଙ୍କୁ ନେଇ ମଧ୍ୟ ଅନ୍ୟ ଏକ ଚର୍ଚ୍ଚା ଚାଲିଛି। ସେ କୁଆଡେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ଏସବୁ ଭିତରେ ବ୍ରହ୍ମଗିରି ରାଜନୀତିରେ ଯେ ରୋଚକ ସ୍ଥିତିରେ ରହିଛି ତାହା ସ୍ପଷ୍ଟ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!