ସୂକ୍ଷ୍ମ ସୂତାର ବର୍ଣ୍ଣିଳ କବିତା ; ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର ଗାଥା :କେଦାର ମିଶ୍ର

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି। ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି। ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି। ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ବ ଶୈଳୀ ଓ ସ୍ଵାତନ୍ତ୍ର୍ୟ ରହିଛି। ତେବେ ସୋନପୁର୍, ବରଗଡ ଓ ବୌଦ ଜିଲ୍ଲା ର ବୁଣାକାର ମାନେ ଏକ ସ୍ବତନ୍ତ୍ର ଶୈଳୀ ରେ ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ୟ ସବୁଠୁ ଅଲଗା। ଏହି ବିରଳ ବାଂଧ କଳା ସମ୍ପର୍କରେ ଆସନ୍ତୁ କଥା ହେବା-

# ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା। ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ । ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ। ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

# ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୂତା ରେ ଗଣ୍ଠି ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ। ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ ଅଲଗା। ଏଥିରେ ସୁତାର ଗଣ୍ଠି ଓ ଖୋଲା ଅଂଶ ଭିତରେ ସମନ୍ବୟ ରଖି ରଂଗ ରେ ସୁତା କୁ ବୁଡା ଯାଏ. ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

# ପୁରୁଷାନୁକ୍ରମେ ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି। ପୁରା ପରିବାର ବାଂଧ ନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି। ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗଣ୍ଠି ରେ ଆଙ୍କିବାକୁ ପଡେ। ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।

# ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଳ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ। ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି। ରଂଗ ଓ ବନ୍ଧର ଭାଗମାପ ତଥା ଏକ ଅମୂର୍ତ୍ତ କାନଭାସ୍(abstract space) ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ୟଟି ବାଂଧ ଶିଳ୍ପୀ କରିଥାଏ।

# ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ। ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି। ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ ର ପ୍ରଦର୍ଶନୀ ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା। ୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା। ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା।

# ଅଶୀ ଦଶକରେ ଓଡିଶାର ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଅବିସ୍ମରଣୀୟ । ସେ ଥିଲେ ସେ ସମୟରେ ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍ ଆମ୍ବାସାଡର।

# ସ୍ବାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା। ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ। ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ ଲିଭିଯିବାକୁ ବସିଲାଣି। ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ ।

# ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି। ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ତାଂକ ସହିତ ହସ୍ତତନ୍ତ ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ। ଉଭୟ ଶ୍ରୀ ଆଚାର୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା.

# ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର , ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି। ସୋନପୁରର ପ୍ରଖ୍ୟାତ ବାଂଧ ଶିଳ୍ପୀ ସ୍ବର୍ଗତ ମୋହନ ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ବୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି। ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

# ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ। ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ। ତେଣୁ ଅଧିକରୁ ଅଧିକ ବୁଣାକାର ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି। ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ. ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!