ଖୁବ୍‌ ଶୀଘ୍ର ଆରମ୍ଭ ହେବ ବିଜୁ ଏକ୍ସପ୍ରେସ ୱେ-୨

୨୦୨୩–୨୪ ଆର୍ଥିକ ବର୍ଷରେ ତିଆରି ହେବ ୩୦୦୦ କିଲୋମିଟର ସଡକ, ଖୁବ୍‌ ଶୀଘ୍ର ଆରମ୍ଭ ହେବ ବିଜୁ ଏକ୍ସପ୍ରେସ ୱେ-୨ ନିର୍ମାଣ ବିଭାଗ ଜରିଆରେ ରାଜ୍ୟର ମୁଖ୍ୟତଃ ରାସ୍ତାର ଉନ୍ନତି, ସେତୁ ନିର୍ମାଣ, କୋଠା ନିର୍ମାଣ, ରାଜ୍ୟର ବ୍ୟାପକ ସଡ଼କ ନେଟ୍‌ୱାର୍କର ରକ୍ଷଣାବେକ୍ଷଣ ଏବଂ ମରାମତି , କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି , ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ତଥା ରକ୍ଷଣାବେକ୍ଷଣ ଇତ୍ୟାଦିର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩ – ୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୨୦୨୩ – ୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡକ , ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪ , ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି , ଯାହା ୨୦୨୨ – ୨୩ ଆର୍ଥିକ ବର୍ଷରେ ୧୮୯୦ କୋଟି ଥିଲା ।

ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପଗୁଡିକ ହେଉଛି , ୬- ଲେନ୍‌ ବିଶିଷ୍ଟ କଟକ ରିଙ୍ଗ ରୋଡ୍ , ତାଳଦଣ୍ଡା କେନାଲର ଉନ୍ନତିକରଣ , ୪-ଲେନ୍‌ ବିଶିଷ୍ଟ କଟକ – ପାରାଦୀପ ରାସ୍ତା , ୪-ଲେନ୍‌ ବିଶିଷ୍ଟ କପିଳପ୍ରସାଦ – ଜଟଣୀ ରାସ୍ତା , ପାରଳାଖେମୁଣ୍ଡି ସହିତ ନୂତନ ୪-ଲେନ୍‌ ବିଶିଷ୍ଟ ସଂଯୋଗ ରାସ୍ତା ଏବଂ ବ୍ରହ୍ମପୁର , ବଲାଙ୍ଗୀର , ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ ବାଇପାସ୍ ନିର୍ମାଣ ।

ଏତଦବ୍ୟତୀତ , ତ୍ରିସୁଳିଆଠାରେ କାଠଯୋଡ଼ି ନଦୀ ଉପରେ ନୂତନ ସେତୁ , ବୈତରଣୀ ନଦୀ ଉପରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ , ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଏବଂ ଦୟା ପଶ୍ଚିମ କେନାଲରେ ୬-ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ।

ଗତ ଦୁଇ ଦଶନ୍ଧି ମଧ୍ୟରେ , ନିର୍ମାଣ ବିଭାଗ ଦ୍ଵାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬ , ୦୪୧ କିମିରୁ ଦ୍ଵିଗୁଣିତ ହୋଇ ୩୧ , ୩୧୭ କିମି ହୋଇପାରିଛି । ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ମାଣ ବିଭାଗ ନିଜ ବିଭାଗ ସହିତ ଅନ୍ୟ ବିଭାଗର କୋଠାବାଡି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ ।

ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ଅବସରରେ କହିଲେ ଯେ ସମ୍ପୂର୍ଣ ହୋଇଥିବା କେତେକ ପ୍ରମୁଖ ସେତୁ ପ୍ରକଳ୍ପ ହେଉଛି – ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ , ସମ୍ବଲପୁର ଜିଲ୍ଲାର ମହାନଦୀ ଉପରେ ନେଲସନ ମଣ୍ଡେଲା ଛକଠାରେ ସେତୁ , କଟକ ଜିଲ୍ଲାର ମହାନଦୀ ଉପରେ ଗୋପୀନାଥପୁରରେ ଟି – ବ୍ରିଜ୍ , କଟକ ଜିଲ୍ଲାର ମହାନଦୀ ଉପରେ ମଧୁସୂଦନ ସେତୁ , କାଠଯୋଡି ନଦୀ ଉପରେ ନେତାଜୀ ସୁବାସ ବୋଷ ସେତୁ , ଝାରସୁଗୁଡା ଜିଲ୍ଲାର ଇବ୍‌ ନଦୀ ଉପରେ ରେଙ୍ଗାଲୀଠାରେ ସେତୁ , ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ଉପରେ ବାଜି ରାଉତ ସେତୁ , ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଉପରେ ଜେନାପୁରଠାରେ ସେତୁ , ଜଗତସିଂହପୁର ଜିଲ୍ଲାର ଶଙ୍ଖାରିସାହି ଠାରେ ବିଲୁଆଖାଇ ନଦୀ ଉପରେ ସେତୁ , ରାୟଗଡା ଜିଲ୍ଲା ଗୁମୁଦାଠାରେ ବଂଶଧାରା ନଦୀ ଉପରେ ସେତୁ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ୟ୍ୟକ୍ରମ ପରିଚାଳନା କରିଥିବାବଳେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁର୍‌ବୀର ସିଂ ଏବଂ ନିର୍ମାଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧ୍ଵ ଉପସ୍ଥିତ ଥିଲେ ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!