ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତେଶ୍ୱର ହୋତା ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ହେତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ।
ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଟନ୍ତି । ତେଣୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆକ୍ଟ, ୨୦୨୧ର ସେକ୍ସନ ୯ର ସବ-ସେକ୍ସନ (୭) ଅନୁଯାୟୀ କ୍ଷମତା ଦୃଷ୍ଟିରୁ ରାଜ୍ୟପାଳ ଏହି ନିଯୁକ୍ତି ଦେଇଥିବା ଜଣାପଡ଼ିଛି ।

ସେ ଗତ ୧୦ ବର୍ଷଧରି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ଓଡ଼ିଶାରୁ ରାଜ୍ୟ ମନୋନୀତ ପ୍ରତିନିଧି ରହିଆସିଛନ୍ତି। ବିଭିନ୍ନ ସମୟରେ ସ୍ନାତକୋତ୍ତର କମିଟି ଓ ସ୍ଥାନାନ୍ତରୀକରଣ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାମ କରିଛନ୍ତି। ୨୦୦୯ରେ ତାଙ୍କ ପ୍ରଚେଷ୍ଟାରେ ଏସ୍ସିବିରେ ପ୍ରଥମ କରି ୟୁରୋଲୋଜି ବିଭାଗରେ ଏମ୍ସିଏଚ୍ (ମୂତ୍ରାଶୟ ବିଭାଗ ସ୍ନାତକୋତ୍ତର) ପାଠ୍ୟକ୍ରମ ଆରମ୍ଭ ହୋଇଥିଲା।
ସେହିପରି ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାରେ ସରକାରୀ ହସ୍ପିଟାଲରେ କିଡ୍ନୀ ପ୍ରତିରୋପଣ ଆରମ୍ଭ ହୋଇଥିଲା ଓ ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ କିଡ୍ନୀ ପ୍ରତିରୋପଣ କରିସାରିଛନ୍ତି। କାଡାଭରିକ (ମୃତ୍ୟୁ ପରେ) ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଇବାରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ୨୦୧୭ରେ ଦ୍ୱିତୀୟ ଓଡ଼ିଆ ଭାବେ ସେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିଆଯାଉଥିବା ସବୁଠାରୁ ବଡ଼ ସମ୍ମାନ (ଡା. ବି.ସି. ରୟ) ଉପାଧି ଲାଭ କରିଥିଲେ।
ତେବେ ରାଜ୍ୟପାଳ ଗଣେଶୀଲାଲ ପ୍ରଫେସର ହୋତାଙ୍କୁ ଏକ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ଗତ ୫ ତାରିଖରେ ରାଜ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରତିଷ୍ଠା କରିଥିଲେ ।
ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ନିକଟରେ ଥିବା କାର୍ଯ୍ୟାଳୟର ପ୍ରଥମ ମହଲାରେ ଏହାର ମରାମତି କାର୍ଯ୍ୟ ସମାପ୍ତ ହୋଇଥିଲା । ଆସନ୍ତା ୩ ମାସ ମଧ୍ୟରେ ଦ୍ୱିତୀୟ ମହଲା ମରାମତି କାର୍ଯ୍ୟ ସମାପ୍ତ ହେବ ବୋଲି କୁହାଯାଇଥିଲା ।

ଏହାପରେ ଉକ୍ତ ସ୍ଥାନରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ । ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା ।
ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ ପ୍ରଶାସନିକ ଅଫିସ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ନିକଟରେ ୫ ଏକର ଜମି ପ୍ରଦାନ କରିଛନ୍ତି । ସୁନାମଧନ୍ୟ ଡାକ୍ତର ଶ୍ରୀ ହୋତାଙ୍କୁ ଗତବର୍ଷ ଫେବୃଆରୀ ମାସରେ ଏହାର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା ।

ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୧୫୦ରୁ ଅଧିକ କଲେଜ କାର୍ଯ୍ୟ କରିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି ଓ ପରୀକ୍ଷା କାର୍ଯ୍ୟକାରୀ ହେବ ।
ଏଥିସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣା କରିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଡିଗ୍ରୀ ଓ ପିଜି କୋର୍ସ ଏହି ବିଶ୍ୱବିଦ୍ୟାଳୟ ପରିଚାଳନା କରିବ ।

