ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମ୍ଜିକ୍ୟୁ (ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତି ପାଇଁ ଆବେଦନ ଫି, ଯୋଗାର ଏବଂ ପାଇକାରୀ ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି। ସବୁ ପ୍ରକାର ଅନ୍ ସପ୍ ମଦ ଦୋକାନ ଲାଇସେନ୍ସ ଫି ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଅଫ୍ ସପ୍ ଲାଇସେନ୍ସ ନବୀକରଣ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।
ମିଲିଟାରୀ କ୍ୟାଣ୍ଟିନ୍ ଲାଇସେନ୍ସ ନବୀକରଣ ମୂଲ୍ୟ ୨୫ ହଜାର ଟଙ୍କା ରହିଥିବା ବେଳେ ୨୦ଟି ବର୍ଗରେ ଲାଇସେନ୍ସ ଫି ଧାର୍ଯ୍ୟ କରାଯାଇଛି।
ଭାରତରେ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍) ଉପରେ ଅବକାରୀ ଶୁଳ୍କରେ ସ୍ୱଳ୍ପ ବୃଦ୍ଧି କରାଯାଇଛି।
ସହଜରେ ବ୍ୟବସାୟ ସୁବିଧା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅଧାରରେ ପରମିଟ୍, ପାସ୍, ଲାଇସେନ୍ସ, ଦେୟ ଦାଖଲ ଆଦି କାର୍ଯ୍ୟ ସ୍ୱୟଂକୃତ ବ୍ୟବସ୍ଥାରେ ସମ୍ପାଦନ କରାଯିବ।
ପୂରା ପ୍ରକ୍ରିୟାକୁ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ଅନୁଧ୍ୟାନ କରାଯାଇ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ନୂଆ ଅବକାରୀ ନୀତିରେ ପ୍ରାବଧାନ ରହିଛି। ଅପରପକ୍ଷେ ଆଦିବାସୀଙ୍କ ଜୀବିକାର ଅନ୍ୟତମ ପ୍ରମୁଖ ମାଧ୍ୟମ ଥିବା ମହୁଲ ଫୁଲରୁ ମଦ ପ୍ରସ୍ତୁତି ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି।
ତେବେ ଆଇନର ଯେପରି ଅପବ୍ୟବହାର ନ ହୁଏ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। କେବଳ ଓଡ଼ିଶାରେ ଉତ୍ପାଦିତ ମହୁଲ ଫୁଲକୁ ମଦ ପ୍ରସ୍ତୁତିରେ ବ୍ୟବହାର କରାଯିବ। ମହୁଲ ଫୁଲର ବ୍ୟବସାୟ ପାଇଁ ଜିଏସ୍ଟି ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପ୍ରସ୍ତୁତ ମଦକୁ ଓଡ଼ିଶା ପାନୀୟ ନିଗମ ଜରିଆରେ ଖୁଚୁରା ବିକ୍ରୟ ପାଇଁ ଯୋଗାଣ କରାଯିବ।

