ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ବର୍ଗରେ ୬ଟି ଜାତୀୟ ପଞ୍ଚାୟତ ପୁରସ୍କାର ପାଇଛି। ଏହାସହ ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର–୨୦୨୩। ସୋମବାର ନୂଆଦିଲ୍ଲୀରେ ପଞ୍ଚାୟତିରାଜ କେନ୍ଦ୍ରର ଜାତୀୟ ସମ୍ମିଳନୀରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି।
ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ଗଞ୍ଜାମ ହୋଇଛି ଶ୍ରେଷ୍ଠ `ଜିଲ୍ଲା ପଞ୍ଚାୟତ’। ୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍।
ସେହିପରି ୬ହଜାର ୬୧୨ ବ୍ଲକ୍ ମଧ୍ୟରେ ହିଞ୍ଜିଳିକାଟୁ ପାଇଛି ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ସମ୍ମାନ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପରିଷଦକୁ ୫ କୋଟି ଟଙ୍କା ଏବଂ ହିଞ୍ଜିଳି ବ୍ଲକ୍କୁ ୨ କୋଟି ଟଙ୍କାର ପୁରସ୍କାର ମିଳିଛି। ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତର ସ୍ବୀକୃତି ପାଇଥିବାବେଳେ ଶାସନ ଆମ୍ବଗାଁ ହୋଇଛି ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକର କୁଲାଡ଼ ପଞ୍ଚାୟତ ହୋଇଛି ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ପୁରସ୍କାର ବିତରଣ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ସମ୍ପୃକ୍ତ ବ୍ଲକ୍ ଓ ପଞ୍ଚାୟତ ଗୁଡ଼ିକର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

