ଗଞ୍ଜାମ ଜିଲ୍ଲା। ଯାହାର ସମସ୍ତ ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ବବହନ କରେ। ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବାରୁ ଏହି ଜିଲ୍ଲାର ପ୍ରତି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଅଟେ। ତେବେ ଛତ୍ରପୁର ଜିଲ୍ଲାର ସଦରମହକୁମା ହୋଇଥିବାରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବେଶ ଗୁରୁତ୍ବ ରଖେ। ଆଉ ଏବେ ଏଠାରେ ବିଧାୟକ ଅଛନ୍ତି ବିଜେଡିର ସୁବାସ ଚନ୍ଦ୍ର ବେହେରା। ରାଜନୀତିର ନୀତି ଆଦର୍ଶ ସହ ତାଙ୍କର ଏକମାତ୍ର ସାଧନା ସେବା କରିବା । ଲୋକମାନଙ୍କ ସୁଖଦୁଃଖରେ ଅନ୍ତରଙ୍ଗ ହେବା । ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ସର୍ବଦା ଗଭୀର ଭାବେ ଚିନ୍ତା କରି ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା । ଜଣେ ଅଭିଜ୍ଞ ଜନନେତା, କୁଶଳ ସଂଗଠକ, ଦକ୍ଷ ସେବାକାରୀ ରାଜନେତା ହିସାବରେ ସୁବାସଙ୍କ ପତିଆରା ରାଜନୀତି ଜଗତରେ ନିଆରା ।
୩ଟି ଏନଏସି ଓ ଦୁଇଟି ବ୍ଲକକୁ ନେଇ ଗଠିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ସୁବାସଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିଥିଲା। ସେ ସେତେବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଥିବାବେଳେ ତାଙ୍କ ଉପରେ ଦଳ ଭରସା କରି ଏହି ସମ୍ମାନଜନକ ଆସନରେ ତାଙ୍କୁ ଟିକେଟ ଦେଇଥିଲା। ତେବେ ସୁବାସ ମଧ୍ୟ ଏହି ସମ୍ମାନକୁ ବଜାୟ ରଖି ଛତ୍ରପୁରରୁ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀଙ୍କୁ ୨୧, ୦୫୧ ଭୋଟରେ ହରାଇଥିଲେ।
ବିଜେଡି ଏଠାରୁ ଲଗାତାର ଦ୍ବିତୀୟ ବିଜୟର ସ୍ବାଦ ଚାଖିଥିଲା। ତେବେ ଜିତିବା ପରେ ସେ ସୁବାସ ନିଜ ନିର୍ବାଚନମଣ୍ଡଳୀର ବହୁତ ଦିନର ଥିବା ସ୍ବପ୍ନକୁ ସାକାର କରିବାକୁ ଲାଗିପଡିଥିଲେ। ତାଙ୍କ ପ୍ରଥମ ବିଧାନସଭା ଅଧିବେଶନର ଶୂନ୍ୟକାଳରେ ଋଷିକୁଲ୍ୟା ନିକଟରେ ବ୍ରିଜ ଓ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ପାଇଁ ସ୍ବର ଉଠାଇଥିଲେ। ଆଉ ଏହାକୁ ପୂରଣ କରିବାକୁ ସେ ସରକାରଙ୍କ ପାଖରେ ବାରମ୍ବାର ଦାବି ଜଣାଇଥିଲେ। ୨୦୨୧ ମସିହାରେ ସେ ଛତ୍ରପୁର ବ୍ଲକରେ ଅନୁଷ୍ଠିତ ଭିସି ଜରିଆରେ ୫–ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରକଳ୍ପର ଅନୁମୋଦନ ପାଇଁ ଅନୁରୋଧ ମଧ୍ୟ କରିଥିଲେ। ପରେ ଏହି ଅନୁରୋଧକୁ ରକ୍ଷା କରି ଓ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଗସ୍ତରେ ଆସି ଋଷିକୁଲ୍ୟା ନଦୀରେ କଂସାରୀଗଣ୍ଡ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହାସହ ବରଦା ଗ୍ରାମ ନିକଟରେ ଆନିକଟ ନିର୍ମାଣ ହେବ ବୋଲି କ୍ୟାବିନେଟରେ ମଞ୍ଜୁରୀ ହୋଇଥିବା ମଧ୍ୟ ଜଣାପଡିଛି। ଯାହାକି ବିଧାୟକ ହିସାବରେ ସୁବାସଙ୍କର ବଡ଼ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ସେତିକି ନୁହେଁ ଛତ୍ରପୁର ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ, ହକି ଟର୍ଫ, ସୁଇମିଂ ପୁଲ ଆଦି ଉନ୍ନୟନ କାର୍ଯ୍ୟ ମଧ୍ୟ ବିଧାୟକ ତାଙ୍କ ଅଞ୍ଚଳରେ କରିଥିବା ଦେଖିବାକୁ ମିଳୁଛି। ଯାହା ତାଙ୍କର ନିଜ ଅଞ୍ଚଳର ଉନ୍ନତି ପ୍ରତି ଥିବା ଭଲପାଇବାକୁ ଦର୍ଶାଉଛି।
ଅଞ୍ଚଳରେ ସରକାରୀ ଯୋଜନା ସୁବିନିଯୋଗ, କ୍ରୀଡା଼ର ଭିତ୍ତିଭୂମି ସଜାଡିବା, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ କରିବା, ମହିଳା ଶିକ୍ଷାକୁ ଗୁରୁତ୍ୱଦେବା ସହ ଅନେକ ବିକାଶ ମୂଳକ କାର୍ଯ୍ୟର ସମ୍ପାଦନା କରିବାରେ ସିଦ୍ଧହସ୍ତ ବିଧାୟକ ସୁବାସ ।
ଆଗକୁ ୨୦୨୪ ନିର୍ବାଚନ । ତାଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି, ଅଞ୍ଚଳବାସୀଙ୍କ ପାଇଁ ସମର୍ପଣ ଭାବ, ଆକର୍ଷଣୀୟ ନେତୃତ୍ୱ, ନେତା ହିସାବରେ ନିଷ୍ଠାପରତା, ବିଧାୟକ ଭାବେ ତାଙ୍କ କାର୍ଯ୍ୟ ଓ ସେବାର ବିଶ୍ଲେଷଣ କଲେ ପୁନର୍ବାର ସେ ହିଁ ନିର୍ବାଚନ ମଣ୍ଡଳୀ ପାଇଁ ପାଲଟିବେ ଅଦ୍ୱିତୀୟ, ଅପ୍ରତିଦ୍ୱନ୍ଦୀ ଜନପ୍ରତିନିଧି ।

