ରାଜ୍ୟ କ୍ୟାବିନେଟ ବିଜୁ ସେତୁ ଯୋଜନାରେ ଆଉ ୮୬୬ଟି ସେତୁ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ୨୦୨୩-୨୪ ବର୍ଷରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ କରାଯିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୯ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ତେବେ ରାଜ୍ୟ କ୍ୟାବିନେଟ ବୈଠକରେ ଆଉ ୮୬୬ଟି ବିଜୁ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିବା ସହ ଏଥି ପାଇଁ ଅତିରିକ୍ତ ୩୫୯୭.୨୨ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ସେହିପରି ବିଜୁ ସେତୁ ଯୋଜନା ୨୦୨୫-୨୬ ବର୍ଷ ଯାଏ ପରିବର୍ଦ୍ଧିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହା ଅକ୍ଟୋବର ୯ ତାରିଖରେ ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୧୧-୧୨ ମସିହାରେ ଯୋଜନା ଆରମ୍ଭର ବର୍ଷରେ ମାତ୍ର ୭ଟି ସେତୁ ନିର୍ମାଣ ସମ୍ଭବପର ହୋଇପାରିଥିଲା।
ତେବେ ଏହାପରଠାରୁ ଏହି ଯୋଜନା ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଫୋକସ୍ କରିଛନ୍ତି। ଗତ ୧୧ ବର୍ଷରେ ୨୦୨୨-୨୩ରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨୫୪ଟି ବିଜୁ ସେତୁ ନିର୍ମାଣ ସରିଛି ।

