ଭାରତ ସରକାର ବିକାଶ କରିଥିବା ଓଏନ୍ଡିସି ଦେଶର ଇ-କମର୍ସ କ୍ଷେତ୍ରରେ ବିପ୍ଳବ ଆଣିବ। ଆମାଜନ, ଫ୍ଲିପ୍କାର୍ଟ, ଜୋମାଟୋ, ସ୍ବିଗି ଭଳି ସଂସ୍ଥାକୁ ଏହା କଡ଼ା ଟକର ଦେବ। ଗତବର୍ଷ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ବଡ଼ ଧରଣର ରିହାତି ଦେଉଥିବାରୁ ଏବେ ଚର୍ଚ୍ଚାରେ ରହିଛି। ସ୍ବିଗି ଓ ଜୋମାଟୋଠାରୁ କମ୍ ଦାମ୍ରେ ଖାଦ୍ୟ ସାମଗ୍ରୀ ଓଏନ୍ଡିସିରେ ମିଳୁଛି। କ୍ଷୁଦ୍ର ଓ ଖୁଚୁରା ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି ଗତବର୍ଷ ଓଏନ୍ଡିସି ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ପରଠାରୁ ଓଏନ୍ଡିସିରେ ବ୍ୟବସାୟୀଙ୍କ ସଂଖ୍ୟା ୮୦୦ରୁ ବୃଦ୍ଧି ପାଇ ୩୫ ହଜାରରୁ ଅଧିକ ହୋଇଛି। ସେହିପରି ଦୈନିକ ବରାଦ ସଂଖ୍ୟା ୫୦ରୁ ବୃଦ୍ଧି ପାଇ ୨୫,୦୦୦ ହୋଇଛି। ଜାନୁଆରିରେ ମାତ୍ର ୮୫ଟି ସହରରେ ଓଏନ୍ଡିସି ଉପଲବ୍ଧ ଥିଲା। ଏବେ ୨୩୬ଟି ସହରରେ ତାହା ପହଞ୍ଚିଛି।

