ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ବନ୍ଧୁଗାଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ। ଭିଜିଲାନ୍ସ ବିଭାଗ ଅଶ୍ଵିନୀ ପ୍ରଧାନଙ୍କ ଠାରୁ ଲାଞ୍ଚ ଟଙ୍କା ୪୦ ହଜାର ଜବତ କରି ତାଙ୍କୁ ଗିରଫ କରିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ବନ୍ଧୁଗାଁ ବ୍ଲକର ଡେରେକା ଗ୍ରାମର ଅଙ୍ଗନୱାଡି କର୍ମୀ ନିଯୁକ୍ତି ଓ ଯୋଗଦାନ ଚିଠି ଦେବା ନିମନ୍ତେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ରାଣୀ ପାଉଲଙ୍କ ନିର୍ଦ୍ଦେଶରେ ଗିରଫ ବରିଷ୍ଠ କିରାଣୀ ଶ୍ରୀ ପ୍ରଧାନ ଆବେଦନ କାରିଣୀଙ୍କ ବାପା ଡେରେକା ଗ୍ରାମର ରାଉତ କୁଲେଶିକାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ରାଉତ କୁଲେଶିକା ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପିଙ୍କ ନିକରେ ଅଭିଯୋଗ କରିଥିଲେ।
ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ କିରାଣୀ ଶ୍ରୀ ପ୍ରଧାନକୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ ପକ୍ଷରୁ ଆଇପିସି ୭ ପିସି ଅମେଣ୍ଡମେଣ୍ଡ ଆକ୍ଟ ୨୦୧୮ରେ ଏକ ମାମଲା (କେଶ ନମ୍ବର ୧୫/୨୩) ରୁଜୁ କରି ତଦନ୍ତ ଜାରି ରଖା ଯାଇଛି। ଭିଜିଲାନ୍ସ ବିଭାଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ପାଉଲଙ୍କୁ ମଧ୍ୟ ଗିରଫ କରିବା ଯୋଜନା କରୁଥିବା ଜଣାପଡିଛି।

