ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ରିଡ୍ୟୁସ୍, ରି-ୟୁଜ୍ ଓ ରିସାଇକେଲ। ଯେତେ କମ୍ ଉପେଯାଗ କରିବା, ସେତେ ଅଳିଆ ଭାରାକ୍ରାନ୍ତରୁ ରକ୍ଷା ପାଇବା। ଏହି ଅଭିଯାନ ନିଜ ନିଜ ଘରୁ ଆରମ୍ଭ କରିବା ଦରକାର। ଆମେ ଘରେ ଯେତେ କମ୍ ଲୁଗାପଟା ବା ଡ୍ରେସ, ପ୍ଲାଷ୍ଟିକ, ଖେଳଣା ଇତ୍ୟାଦି କମ୍ ବ୍ୟବହାର କରିବା ସେତେ ଭଲ।
ଯେତେବେଳେ ସେଗୁଡିକ ବ୍ୟବହାର ଅନୁପଯୋଗୀ ହେବ ସେତେବେଳେ ତାକୁ ରିସାଇକେଲ ବା ପୁନଃ ଚକ୍ରଣ କରାଯାଇ ପାରିବ। ଏହି ଅଭିଯାନ ସହରର ବିଭିନ୍ନ ୱାର୍ଡରେ କିପରି କରାଯିବ ଏବଂ ଏଥିରେ ଗୋଷ୍ଠୀ ସହଯୋଗ କିପରି ମିଳିବ ତାହାର ନକ୍ସା ପ୍ରସ୍ତୁତ ହୋଇଥିବା ନେଇ ମେୟର ସୂଚନା ଦେଇଥିଲେ।
ଭୁବନେଶ୍ୱର ମହାନଗର ନିଗମକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ପ୍ରତ୍ୟେକ ନାଗରିକ ସାମିଲ ହେବା ସହ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କମିଶନର ‘ଥିଲେ ଦିଅ, ନଥିଲେ ନିଅ’ ଆହ୍ବାନ ଦେଇଥିଲେ।
କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ପରିସରରେ ଏ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ, ପ୍ରିୟବ୍ରତ ପାଢ଼ୀ, ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

