ପୁଣି ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ଛିଡ଼ା ହୋଇଥିବା ମାଲ୍ବାହୀ ଗାଡ଼ି ଡବା ଉପରେ ଆଉ ଏକ ମାଲ୍ବାହୀ ଗାଡ଼ିର ଇଞ୍ଜିନ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ଉଭୟ ମାଲ୍ବାହୀ ଗାଡ଼ିର କିଛି ଡବା ଲାଇନ୍ଚ୍ୟୁତ ହୋଇଯାଇଛି। ଏଥିରେ ମାଲ୍ବାହୀ ଗାଡ଼ିର ଜଣେ ଲୋକୋ ପାଇଲଟ୍ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ଲାଟ୍ଫର୍ମ ଏବଂ ସିଗ୍ନାଲ ରୁମ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାଲ୍ବାହୀ ଗାଡ଼ିର ଇଞ୍ଜିନ ସମେତ ୬ଟି ଡବା ଲାଇନ୍ଚ୍ୟୁତ ହୋଇଯାଇଛି।
ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଏହି ଦୁର୍ଘଟଣା ହୋଇଛି। ଲୁପ୍ ଲାଇନରେ ଛିଡା ହୋଇଥିବା ମାଲ୍ବାହୀ ଗାଡ଼ିକୁ ଆଉ ଏକ ମାଲ୍ବାହୀ ଗାଡ଼ି ଧକ୍କା ଦେଇଛି। ବାଙ୍କୁଡ଼ା ଓଣ୍ଡାଗ୍ରାମ୍ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି।
ସୂଚନା ଅନୁସାରେ, ଆଜି ଭୋର ୪ଟାରେ ବାଙ୍କୁଡ଼ାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁ ଆଦ୍ରା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଲୁପ୍ ଲାଇନରେ ଏକ ମାଲ୍ବାହୀ ଗାଡ଼ି ଛିଡ଼ା ହୋଇଥିବା ବେଳେ ସେହି ଲୁପ୍ ଲାଇନରେ ଆଉ ଏକ ମାଲ୍ବାହୀ ଗାଡ଼ି ପ୍ରବେଶ କରିଥିଲା। ଫଳରେ ଏଭଳି ଦୁର୍ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ଏନେଇ ରେଲ୍ୱେ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

