ଡିଏମ୍ଏଫ୍ (ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଅଧୀନରେ କେଉଁ ରାଜ୍ୟକୁ କେତେ ଟଙ୍କା ମିଳିଛି। ବିଶେଷ କରି ଓଡିଶା ପ୍ରଦେଶକୁ ଏ ବାବଦରେ କେତେ ଟଙ୍କା ମିଳିଛି। ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ଏ ନେଇ ରାଜ୍ୟ ସଭାରେ ବିସ୍ତୃତ ଉତ୍ତର ଦେଇଛନ୍ତି।
ସେହିଭଳି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଓଡ଼ିଶାକୁ ମୋଟ ୨୩,୧୨୦ କୋଟି ଟଙ୍କାର ଡିଏମ୍ଏଫ୍ ଫଣ୍ଡ ମିଳିଛି, ସେଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮କୋଟି ଟଙ୍କା ମିଳିଛି।
ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ମୋଟ ୧୨୭.୨୧ କୋଟି ଟଙ୍କା ମିଳିଛି, ଓଡିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ।
ଏପରିକି ଓଡ଼ିଶାର ମୟୂରଭଞ୍ଜ ଜିଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମ୍କେକେକେୱାଇ) ଅଧୀନରେ ମୋଟ ୮୧.୨୨ କୋଟି ଟଙ୍କାର ପାଣ୍ଠି ବିଭିନ୍ନ କ୍ଷେତ୍ରରେ ବିନିଯୋଗ ହୋଇଥିବା ମନ୍ତ୍ରୀ ଯୋଶୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।

