ପିରିୟଡ୍ ପାଇଁ ଛୁଟି ଜରୁରୀ

ଋତୁସ୍ରାବ । କଷ୍ଟ ହୁଏ, ହେଲେ କହିବାକୁ ଲାଜ ଲାଗେ । କାହାରି ଆଗରେ ଯନ୍ତ୍ରଣା ବଖାଣିବାକୁ ମନ ଆକଟ କରେ । ପରିବାର କୁହନ୍ତୁ କି ଆମ ସମାଜ । ଋତୁସ୍ରାବକୁ ଅସ୍ପୃଶ୍ୟ ଭାବେ ଗ୍ରହଣ କରିଛି ଆଉ କରିଆସୁଛି । ଯେତେବେଳେ ଏ ଦେଶର ନାରୀ ସମାଜ ଋତୁସ୍ରାବର ଯନ୍ତ୍ରଣାରେ ଜର୍ଜରିତ ହେଉଛି ସେତେବେଳେ କେହି ଜଣେ ମୁହଁ ଖୋଲି ଅଧିକାର ପାଇଁ ସ୍ୱର ଉଠାଉଛି । ନିଜ ଅନୁଭୂତି ତାଙ୍କୁ ପ୍ରେରଣା ଦେଇଛି ବ୍ୟବସ୍ଥା ସହ ଲଢିବାକୁ, ନାରୀ ଜାତିକୁ ଏକ କରି ଅଧିକାର ପାଇବାକୁ । ସେହି ପ୍ରରଣାଦାୟୀ କାହାଣୀ ବାବଦରେ ଆମ ଦେଶର ଜଣାଶୁଣା ସମାଜସେବୀ ତଥା ଓଡିଆ ଝିଅ ରଞ୍ଜିତା ପ୍ରିୟଦର୍ଶନୀଙ୍କ ସହିତ ଇଣ୍ଟର୍ଭ୍ୟୁ ଟାଇମ୍ସର ସ୍ୱତନ୍ତ୍ର ସାକ୍ଷାତାକାର….

ପ୍ରଶ୍ନ: ସମସ୍ତେ ଯନ୍ତ୍ରଣା ଭୋଗୁଥିଲେ , ହେଲେ ଆପଣ ମୁହଁ ଖୋଲିଲେ…କାହିଁକି ଏମିତି ଚିନ୍ତାଧାରା ମନକୁ ଆସିଲା ?
ଉତ୍ତର- ମୁଁ ନିଜେ ସେ ସମସ୍ୟା ଭୋଗିଛି । ଋତୁସ୍ରାବ ହେଲେ କେତେ କଷ୍ଟ ହୁଏ ମୁଁ ନିଜେ ଅନୁଭବ କରିଛି । ମୋତେ ବି ଯେମିତି ଅସୁବିଧା ହେଉଛି , ସମସ୍ତଙ୍କୁ ସେହିଭଳି ସମସ୍ୟା ହେଉଛି । ସମସ୍ତେ ଏହାକୁ ଲାଜ ଭାବି ପାଟି ଖୋଲୁନଥିଲେ । ହେଲେ କେହି ଜଣେ ଆଗକୁ ଆସିବାର ଥିଲା । ମୁଁ ନିଜ ଅନୁଭୂତିରୁ ହିଁ ଆଗକୁ ଆସିଲି।

ପ୍ରଶ୍ନ: ପେଡ୍ ପିରିୟଡ୍ ଲିଭ, ମହିଳାଙ୍କୁ କାହିଁକି ଦିଆଯିବ ?
ଉତ୍ତର: ପିରିୟଡ ସମୟର ଯନ୍ତ୍ରଣା ଅସହ୍ୟ ହୋଇଥାଏ । ଜଣେ ମହିଳା ଗୋଟିଏ ଜାଗାରେ ବସି କାମ କରିବା ଅସମ୍ଭବ । ସେ ସମୟର ଯନ୍ତ୍ରଣା କେବଳ ମହିଳାମାନେ ହିଁ ଜାଣିପାରିବେ । ସେହି ସମୟରେ ସମସ୍ତଙ୍କୁ ବିଶ୍ରାମ ଆବଶ୍ୟକତା ପଡିଥାଏ । ଏଣୁ ପିରିୟଡ ସମୟରେ ଯେଉଁଦିନ ମହିଳାଙ୍କୁ ଅଧିକ କଷ୍ଟ ହୁଏ ସେଦିନ ଛୁଟି ଦେବା ଆବଶ୍ୟକ ରହିଛି ।
ପ୍ରଶ୍ନ: ଆପଣ ବଡ ଚାକିରି କରିଥିଲେ, ଚାକିରି ଛାଡି ଏ ସଚେତନତା କାର୍ଯ୍ୟକ୍ରମ କାହିଁକି ବାଛିଲେ ?
ଉତ୍ତର: ଏ ସମସ୍ୟା ଜଣଙ୍କର ନୁହେଁ । ସାରା ଦେଶର ମହିଳାଙ୍କର । ମୋ ଜୀବନରେ ଏମିତି କିଛି ଘଟଣା ଘଟିଲା ଯାହାକି ମୋତେ ଚାକିରି ଛାଡି ଆୱାରନେସ କରିବାକୁ ବାଧ୍ୟ କଲା ।

ପ୍ରଶ୍ନ: ଋତୁସ୍ରାବ ଜନିତ ଛୁଟି ଦାବି କରି ଆପଣଙ୍କର ଚାକିରି ବି ଯାଇଛି ?
ଉତ୍ତର: ହଁ, ଏକ ନାମୀ କମ୍ପାନୀରେ ମୁଁ ଚାକିରି କରିଥିଲି । ଜାତୀୟ ପୁରସ୍କାର ମଧ୍ୟ ପାଇଛି । ମୋର ପିରିୟଡ ହୋଇଥିବାବେଳେ ମୁଁ କାମ କରିବାକୁ ଅକ୍ଷମତା ପ୍ରକାଶ କରିଥିଲି । ଉପରିସ୍ଥ ଅଧିକାରୀଙ୍କୁ ଛୁଟି ମାଗିବା ପରେ ସେ ସମସ୍ୟା ନବୁଝି ଚାକିରି ଛାଡିଦେବାକୁ କହିଥିଲେ । ମୁଁ ସେଦିନ ହିଁ ଚାକିରି ଛାଡିଦେଇଥିଲି । ସେ ସମୟର ସ୍ଥିତି ମୋତେ ନୂଆ ଏକ ଶିକ୍ଷା ଦେଇଥିଲା । ସେଦିନର ସଂଘର୍ଷ ହିଁ ମୋତେ ସଚେତନତା କାର୍ଯ୍ୟକୁ ଆସିବାକୁ ବାଧ୍ୟ କରିଥିଲା । ପରବର୍ତ୍ତୀ ସମୟରେ ମୋତେ ପୁଣି କମ୍ପାନୀ ତରଫରୁ ଅଫର କରାଯାଇଥିଲା କିନ୍ତୁ ମୁଁ ଯାଇନଥିଲି ।

ପ୍ରଶ୍ନ: କେବେଠୁ ଆପଣ ଏ ଅଭିଯାନ ଆରମ୍ଭ କଲେ ?
ଉତ୍ତର: ପିଲାଟି ବେଳରୁ ଏ ପ୍ରଶ୍ନ ମୋ ମନରେ ଥିଲା । କରୋନା ସମୟରେ ସଚେତନା କରିବାକୁ   ମନସ୍ଥ କରିଥିଲି । ପରବର୍ତ୍ତୀ ସମୟରେ କମ୍ପାନୀରୁ ମୁଁ ଚାକିରି ଛାଡି ଆସିବା ପରେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିଥିଲି ଆଉ କରୁଛି ।

ପ୍ରଶ୍ନ: କେଉଁ କେଉଁ ରାଜ୍ୟରେ ଆପଣ କ୍ୟାମ୍ପେନ କରୁଛନ୍ତି ଆଉ କେମିତି ସମର୍ଥନ ମିଳୁଛି ?
ଉତ୍ତର: ଏବେ ସାରା ଦେଶରେ ଆମେ କ୍ୟାମ୍ପେନ ଚଳାଇଛୁ । ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ଭେଟିଛି । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଏ ବାବଦରେ ମଧ୍ୟ ଅବଗତ କରିଛି । କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଛି । ଅନେକ ସ୍ଥାନରେ ସଫଳତା ବି ମିଳିଛି । ବିହାର ବିଧାନସଭାରେ ମୋର କ୍ୟାମ୍ପେନ ପ୍ରସଙ୍ଗ ଉଠିଛି । ବିଦେଶରେ ମଧ୍ୟ ମୋର କାମକୁ ସ୍ୱୀକୃତି ମିଳିଛି ।

ପ୍ରଶ୍ନ: ଏ କ୍ୟାମ୍ପେନକୁ ସଫଳତା ମିଳିବ ବୋଲି ଆଶା ଅଛି ?
ଉତ୍ତର: ମିଳିବା କଥା । ମହିଳାଙ୍କର ଏଇଟା ଅଧିକାର । ଆଶା ଅଛି ସରକାର ମହିଳାଙ୍କ ସମସ୍ୟା ବୁଝିବେ ।

ପ୍ରଶ୍ନ: ରଞ୍ଜିତା ଆଗକୁ କଣ ହେବାକୁ ଲକ୍ଷ୍ୟ ରଖିଛନ୍ତି ?
ଉତ୍ତର- ଆଗକୁ ଜୁଡିସିଆରି କ୍ଷେତ୍ରରେ କାର୍ଯ୍ୟକରିବାର ଇଚ୍ଛାଅଛି । ଅଟୋମୋବାଇଲ କ୍ଷେତ୍ରରେ ଖୁବଶୀଘ୍ର ଏକ ଷ୍ଟାର୍ଟଅପ କରିବାକୁ ଯାଉଛି ।

ପ୍ରଶ୍ନ: ରଞ୍ଜିତା ଆଜି ଖାଲି ଓଡିଶା ନୁହେଁ, ଦେଶରେ ଜଣେ ଜଣାଶୁଣା ଚେହେରା । ରାଜନୀତିକୁ ଆସିବାକୁ ଇଚ୍ଛା ଅଛି କି ?
ଉତ୍ତର- ନାଁ…ରାଜନୀତି କରିବାକୁ କୌଣସି ଅଭିପ୍ରାୟ ନାହିଁ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!