ଚନ୍ଦ୍ରୟାନ-3ର ତିନୋଟି ମଡ୍ୟୁଲକୁ ଏକତ୍ର ଚନ୍ଦ୍ରର କକ୍ଷପଥରେ ଏକ ପ୍ରକାର ରକେଟ୍ ଦ୍ୱାରା ପଠାଯିବ | ଚନ୍ଦ୍ରୟାନ-୩ କୁ ୧୦୦ରୁ ୧୬୦ କିଲୋମିଟର ଉଚ୍ଚାରେ ଲୋୟର ଅର୍ବିଟରେ ଛଡାଯିବ । ପରେ ଚନ୍ଦ୍ରୟାନ-୩ର ପ୍ରୋପଲସନ ମଡ୍ୟୁଲ ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ପୃଥିବୀର ୫ ଥର ପରିକ୍ରମା କରିବ । ୫ଟି ପରିକ୍ରମା ପରେ ଏହା ସୋଲାର ଅର୍ବିଟରେ ପହଞ୍ଚିଯିବ । ପରେ ଚନ୍ଦ୍ର ଚାରିପଟେ ୫ ଥର ପରିକ୍ରମା କରିବା ପରେ ଏହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ।
ପ୍ରୋପଲସନ ମଡ୍ୟୁଲ କକ୍ଷପଥରେ ରହିବ ଓ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଏଥର ୪ଟି ଇଞ୍ଜିନ ଖଞ୍ଜାଯାଇଛି । ଏହାକୁ ଥ୍ରଷ୍ଟର୍ସ କୁହାଯାଉଛି । ପ୍ରତ୍ୟେକ ଇଞ୍ଜିନ ୮୦୦ ନ୍ୟୁଟନ ଉର୍ଜ୍ଜା ସୃଷ୍ଟି କରିପାରିବ । ଏହା ବ୍ୟତିତ ଲ୍ୟାଣ୍ଡରର ଚାରିପଟେ ମୋଟ ୮ଟି ଇଞ୍ଜିନ ରହିଛି । ଯାହା ଯାନକୁ ଦିଗ ଦେଖାଇବା ଓ ଗତି କରିବାରେ ସହାୟକ ହେବ । ଏହାଦ୍ବାରା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସେକେଣ୍ଡ ପ୍ରତି ୨ ମିଟର ବେଗରେ ଗତି କରିବ ।
କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ବେଳେ ସେକେଣ୍ଡ ପ୍ରତି ୦.୫ ମିଟର ବେଗରେ ଗତି କରିବ । ଯେମିତି ଭୂମି ଉପରେ ହେଲିକପ୍ଟର ଲ୍ୟାଣ୍ଡ କରେ । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଏହା ବିଶେଷ ଦ୍ବାର ଖୋଲିଯିବ ଓ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।



