ଚନ୍ଦ୍ରଯାନ-୩କୁ ସ୍ବାଗତ କଲା ଚନ୍ଦ୍ରଯାନ-୨ର ଅର୍ବିଟର । WELCOME BUDDY କହି ଅର୍ବିଟର ଚନ୍ଦ୍ରଯାନକୁ ସ୍ବାଗତ କରିଛି। ଚନ୍ଦ୍ରପୃଷ୍ଠରେ ଅର୍ବିଟର ସହ ଚନ୍ଦ୍ରଯାନ-୩ର ବିଧିବଦ୍ଧ ଯୋଗାଯୋଗ ସ୍ଥାପିତ ହୋଇଛି ବୋଲି ସୋସିଆଲ ମିଡିଆରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୩। ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଚନ୍ଦ୍ରଯାନ ଚନ୍ଦ୍ରମାର ନୂଆ ଫଟୋ ପଠାଇଛି। ଚନ୍ଦ୍ରର ଫାର୍ ସାଇଟ ବା ପୃଥିବୀରୁ କେବେ ଦେଖାଯାଉ ନଥିବା ଅଂଶର ଫଟୋ ସେୟାର କରିଛି ଚନ୍ଦ୍ରଯାନ ।
ଲ୍ୟାଣ୍ଡରରେ ଲାଗିଥିବା LHDAC କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି କ୍ୟାମେରା ଲ୍ୟାଣ୍ଡରକୁ ସୁରକ୍ଷିତ ସ୍ଥାନରେ ଅବତରଣ କରିବାରେ ସାହାଯ୍ୟ କରିବ। ବଡ଼ ପଥର ବା ଗାଡ ନଥିବା ସ୍ଥାନ ଚୟନ କରିବାରେ ଏହି କ୍ୟାମେରା ସାହାଯ୍ୟ କରିବ। ଐତିହାସିକ ଲ୍ୟାଣ୍ଡିଂ ପୂର୍ବରୁ ଚନ୍ଦ୍ରର ଏହି ନୂଆ ଫଟୋକୁ ଅଫିସିଆଲ ସଇଟରେ ପୋଷ୍ଟ କରିଛି ଇସ୍ରୋ । ଶନିବାର ରାତିରେ ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ସଫ୍ଟ ଲ୍ୟାଣ୍ଡିଂ ଆଶା ବଢ଼ିଛି । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ ।
ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡ଼ିବ ।


