ବ୍ରହ୍ମପୁର ପାଇଁ ବିଜେଡିର ବ୍ଲୁପ୍ରିଣ୍ଟ । ଦିଲ୍ଲୀ ନେତାଙ୍କୁ ବିଧାନସଭା ପଠାଇବାକୁ ଏବେଠୁ ଦଳ କଲାଣି ପ୍ରସ୍ତୁତି । ବ୍ରହ୍ମପୁରରୁ ବିଧାୟକ ଥିବା ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ପାଇଁ ପ୍ରାର୍ଥୀ କରିବାକୁ ଦଳ ମନସ୍ଥିର କରିଥିବା ବେଳେ ବ୍ରହ୍ମପୁର ଆସନ ପାଇଁ କାହାକୁ ବିଜେଡି ସୁପ୍ରିମୋ ଗ୍ରୀନ୍ ସିଗନାଲ ଦେବେ ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । କାରଣ ବ୍ରହ୍ମପୁର ବିଧାନସଭା ଆସନ ବିଜେଡିର ସେଫ୍ ଜୋନ ଭାବେ ପରିଚିତ । ବିଜେଡି ଏଠାରେ ପ୍ରତିଥର ବିଜୟୀ ହୋଇ ଆସିଛି । ତେଣୁ ଏହି ଧାରାକୁ ବଜାୟ ରଖିବାକୁ ଦଳ ଜଣେ ଅନୁଭବୀ ତଥା ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କୁ ନଜରରେ ରଖିଛି ।
ଆଉ ସେହିଭଳି ତୃଣମୂଳସ୍ତରର ନେତା ହେଉଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।ବ୍ରହ୍ମପୁରବାସୀଙ୍କ ସହ ଚନ୍ଦ୍ରଶେଖରଙ୍କର ଅତି ଘନିଷ୍ଠ ସମ୍ପର୍କ । ବ୍ରହ୍ମପୁର ଲୋକସଭା ଆସନରୁ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ରଶେଖରଙ୍କର ତୃଣମୂଳସ୍ତରରେ ନିଜସ୍ୱ ସଙ୍ଗଠନ ରହିଛି । ଗତ ନିର୍ବାଚନରେ ବିକ୍ରମ ଟଣ୍ଡାଙ୍କ ବିଜୟରେ ଚନ୍ଦ୍ରଶେଖରଙ୍କର ବଡ ଭୂମିକା ରହିଥିଲା । ତେଣୁ ଦଳ ଯେତେବେଳେ ବିକ୍ରମଙ୍କୁ ଗୋପାଳପୁର ବ୍ୟାଟଲଫିଲ୍ଡକୁ ଓହ୍ଲାଇବାକୁ ଚାହୁଁଛି ସେତେବେଳେ ଚନ୍ଦ୍ରଶେଖର ହିଁ ବିଜେଡି ପାଇଁ ବେଷ୍ଟ ଚଏସ ବୋଲି କୁହାଯାଉଛି ।ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କର୍ମଭୂମିରେ ଏଭଳି ରାଜନୈତିକ ଅଦଳବଦଳ ହେଉଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି ।
ବରିଷ୍ଠ ନେତା ଭାବେ ପୂର୍ବରୁ ସୂର୍ଯ୍ୟ ନାରାୟଣ ପାତ୍ର ଜିଲ୍ଲାରେ ଗୁରୁଦାୟିତ୍ୱ ତୁଲାଉଥିଲେ । କିନ୍ତୁ ସୂର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ସେତେଟା ଭଲ ନଥିବାରୁ ଦଳ ଏବେ ଜଣେ ଅନୁଭବୀ ତଥା ବରିଷ୍ଠ ନେତାଙ୍କୁ ଜିଲ୍ଲାରେ ସକ୍ରିୟ ଭୂମିକାରେ ଓହ୍ଲାଇବାକୁ ଚାହୁଁଛି । ତେଣୁ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ ରାଜନୀତିରୁ ରାଜ୍ୟ ରାଜନୀତିକୁ ଆଣିବାକୁ ଦଳ ଚାହୁଁଥିବା କୁହାଯାଉଛି । ଦଳର ନିଷ୍ପତ୍ତିରେ ଚନ୍ଦ୍ରଶେଖର ମଧ୍ୟ ସମ୍ମତି ଦେଇଥିବା ବିଜେଡିର ଅନ୍ଦରମହଲରୁ ଶୁଣିବାକୁ ମିଳୁଛି ।ଦଳର ସୁପ୍ରିମୋ ତାଙ୍କୁ ଭରସିବା ସହ ଗୁରୁଦାୟିତ୍ୱ ଦେବାକୁ ଯାଉଥିବାରୁ ଚନ୍ଦ୍ରଶେଖରଙ୍କ କ୍ୟାମ୍ପ ମଧ୍ୟ ବେଶ ଖୁସି ଥିବା ଚର୍ଚ୍ଚା ହେଉଛି । ଏଭଳି ସମୀକରଣ ଭିତରେ ବିଜେଡି କର୍ମୀଙ୍କ ମନରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଲାଣି । ଯଦି ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ ରାଜନୀତିରୁ ଆଣି ଗଞ୍ଜାମ ରାଜନୀତିରେ ଏଣ୍ଟ୍ରି କରାଯାଏ ତେବେ ବ୍ରହ୍ମପୁରରୁ ଦଳ କାହାକୁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବ ?


