ନଭେମ୍ବରରେ ୨ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଆସନ୍ତା ନଭେମ୍ବର ୯ ଓ ୧୦ ଦୁଇଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଅନୁଷ୍ଠିତ ହେବ। ମିଲେଟ୍ର ବହୁଳ ବ୍ୟବହାର, ଚାଷର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟ ଶସ୍ୟର ଘରୋଇ ବ୍ୟବହାର ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଶା ମିଲେଟ୍ ମିଶନର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ଅଂଶୀଦାରଙ୍କ ସଫଳତାର କାହାଣୀ ଏଥିରେ ପ୍ରଦର୍ଶିତ ହେବ। ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ସଚିବ ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍, କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଗବେଷଣା, ଚାଷ ଅଭ୍ୟାସ, ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରତି ଧ୍ୟାନ ଦେବା ସହିତ ଆୟୋଜନ ହେବାକୁ ଥିବା ସମ୍ମିଳନୀ ଯେପରି ଅନ୍ତର୍ଜାତୀୟ ସ୍ତରର ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଅମଳ ପରବର୍ତ୍ତୀ ଏବଂ ପ୍ରାଥମିକ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ, ବାଜରାଭିତ୍ତିକ ଫସଲ ପ୍ରଣାଳୀର ଉତ୍ପାଦକତାରେ ଉନ୍ନତି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି।

ଓଡ଼ିଶା ମିଲେଟ୍ ମିଶନରେ ପୂର୍ବରୁ ସାମିଲ ଥିବା ୧୯ଟି ଜିଲାର ୧୪୩ଟି ବ୍ଲକକୁ ପରିବର୍ଦ୍ଧିତ କରାଯାଇ ଏବେ ୩୦ଟି ଜିଲାର ୧୭୭ ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ବୈଠକରେ ୨୦୨୩-୨୪ରୁ ୨୦୨୬-୨୭ ପର୍ଯ୍ୟନ୍ତ ଓଡ଼ିଶା ମିଲେଟ ମିଶନକୁ ଅନୁମୋଦନ ମିଳିଛି। ଚଳିତ ଆର୍ଥିକ ବର୍ଷରେ ୧.୫ ଲକ୍ଷ ହେକ୍ଟର ଜମିରେ ମିଲେଟ୍ ଚାଷ କରିବା ଲକ୍ଷ୍ୟ ରଖାଯାଇଛି। ଏଥିରେ ୨.୨ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ସାମିଲ ହେବେ। ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା ପାଇଁ ମିଲେଟ୍ କୁଇଜ୍ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଏକ୍ସପୋଜର୍ ଭିଜିଟ୍, ଫୁଡ୍ ଫେଷ୍ଟିଭାଲ୍, ଗ୍ରାମୀଣ ଇତିହାସ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!