ଆଭାଡା ଗ୍ରୁପ୍ର ଗ୍ରୀନ୍ ହାଇଡ୍ରୋଜେନ୍ ଶାଖା ଆଭାଡା ଗ୍ରୀନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି।
ବିଶେଷକରି ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଉକ୍ତ ବୁଝାମଣା ହୋଇଛି।
ଅପରପକ୍ଷରେ ଇଡ୍କୋ ଓ ଇପିକଲ୍ର ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଟିଏସ୍ଏସ୍ଇଜେଡ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଆଭାଡା ଗ୍ରୁପ୍ର ସଭାପତି ପ୍ରଶାନ୍ତ ଚୌବେ ବୁଝାମଣା ପତ୍ର(ଏମ୍ଓୟୁ)ରେ ସ୍ବାକ୍ଷର କରିଛନ୍ତି।
ଏ ନେଇ ଶର୍ମା କହିଛନ୍ତି, ସବୁଜ ଇନ୍ଧନ କ୍ଷେତ୍ର ପାଇଁ ଓଡ଼ିଶାର ରୋଡ୍ମ୍ୟାପ୍ ଉଭୟ ବ୍ୟାପକ ଓ ମହତ୍ତ୍ୱାକାଂକ୍ଷୀ ହୋଇଥିବାବେଳେ ଓଡ଼ିଶାକୁ ଆମେ ଆଭାଡାକୁ ସ୍ବାଗତ କରୁଛୁ ଏବଂ ମିଳିତ ଭାବେ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଚାହିଁ ବସିଛୁ।

