ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ବର୍ଷର ଯାତ୍ରାର ଅଭିଯାନକୁ ଭୁୟଷୀ ପ୍ରଶଂସା କରିବା ସହ ସମାଜର ପ୍ରଗତି କ୍ଷେତ୍ରରେ ଅନନ୍ୟ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଓ ଅରୁଣ କୁମାର ସାହୁ (ବିଧାୟକ ,ନୟାଗଡ) ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁ ଗର୍ଗ( ଉନ୍ନୟନ କମିସନର,ଓଡିଶା ସରକାର) କହିଥିଲେ ଯେ ନ୍ୟାସନାଲ୍ ବିଲଡିଂରେ ସକରାତ୍ମକ ସାମ୍ବାଦିକତାରର ଭୂମିକା ଗରୁତ୍ବପୂର୍ଣ।ଇଣ୍ଟରଭ୍ୟୁ ଟାଇମ୍ସ୍ ର ଏ କ୍ଷେତ୍ରରେ ସହଭାଗିତାକୁ ପ୍ରଶଂସା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ଷ ବର୍ଷ ଧରି ଓଡିଶା ଅଭିବୃଦ୍ଧିର କାହାଣୀ ଉଲ୍ଲେଖନୀୟ ବୋଲି କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ,ଶ୍ରୀ ବୀର ବିକ୍ରମ ୟାଦବ(ଆଇଏଏସ୍,ପ୍ରମୁଖ ସଚିବ , ପୂର୍ତ ବିଭାଗ,ଓଡିଶା ସରକାର),ଦିଲ୍ଲିପ ରାଉତରାୟ(ଆଇଏଏସ୍), ସାଗର ମହାନ୍ତି(ନିର୍ଦେଶକ ,ଏନ୍ସିସି ଓଡିଶା),ସଂଘମିତ୍ରା ପତି(ନିର୍ଦେଶକ ଆଇସିଏମ୍ଆର- ଆରଏମ୍ଆରସି) ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର କମଳଜିତ୍ ସିଂ(ଉପ କୁଳପତି,ମଧୂସୁଦନ ବିଶ୍ବ ବିଦ୍ୟାଳୟ) ଯୋଗଦାନ କରିଥିଲେ ।ପ୍ରାଥମିକ ପର୍ଯ୍ୟାୟରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଦୀର୍ଘ ୧୨ ବର୍ଷର ଯାତ୍ରାରେ କିପରି ଖବର ମାଧ୍ୟମରେ ଦେଶ,ରାଜ୍ୟ ତଥା ସମାଜର ପ୍ରଗତିରେ ଏକ ସୁଦୃଢ ବିନ୍ଧାଣି ଭାବେ କାର୍ଯ୍ୟ କରିଛି ସେ ନେଇ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ “ଓଡିଶାରେ ଆଜି ଓ କାଲି”କୁ ନେଇ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା । ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ- ୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନ ଓ ୭ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋର୍ତିମୟୀ ନାୟକ ନିଜର ସଙ୍ଗୀତ ଚାତୁରୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅଧ୍ୟକ୍ଷ ଶୁବାଶିସ୍ ଦାସ୍, ଅରୁଣ କୁମାର ମାହାନା (ସି.ଓ.ଓ), ପ୍ରମୋଦ କୁମାର ଲେଙ୍କା (ମୁଖ୍ୟ ବାଣିଜ୍ୟ ଅଧିକାରୀ) ଓ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

