ରାଜନୀତିରେ କେହି ନୁହନ୍ତି କାହାର । ଏହାର ଅନେକ ନଜିର ରହିଛି । ରାଜନୀତିରେ ସ୍ୱାର୍ଥ ହିଁ ସବୁକିଛି । ସ୍ୱାର୍ଥ ଥିବା ଯାଏଁ ଭାରି ଆପଣାର, ସ୍ୱାର୍ଥ ସରିଗଲେ କିଏ କାହାର । ଠିକ୍ ସେହିଭଳି ଘଟଣା ବିଜେପିର ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ଘଟିଥିବା କୁହାଯାଉଛି । ବୈଜୟନ୍ତ ଏବେ ବିଜେପିରେ ଭାରି ଏକା ଏକା ବୋଲି ଶୁଣିବାକୁ ମିଳୁଛି । ଖାସକରି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଥିବା କହି ବୁଲୁଛନ୍ତି ବୈଜୟନ୍ତଙ୍କ ସମର୍ଥକ ।

ବିଜେପିରେ ବୈଜୟନ୍ତ ମିଶିବା ଦିନ ଠାରୁ ଧର୍ମେନ୍ଦ୍ରଙ୍କର ବିରୋଧୀ ବୋଲି କୁହାଯାଏ । ଧର୍ମେନ୍ଦ୍ର ମଧ୍ୟ ହାତରେ ନ ମାରି ଭାତରେ ମାରିବା ଭଳି ବୈଜୟନ୍ତଙ୍କୁ ରାଜ୍ୟ ବିଜେପି ସଙ୍ଗଠନରୁ ଏକପ୍ରକାର ଦୂରେଇ ରଖିଥିବା ଚର୍ଚ୍ଚା ହୁଏ । ବୈଜୟନ୍ତଙ୍କର ଏଭଳି ବିକଳ ଅବସ୍ଥା ଦେଖି ଅପରାଜିତା ତାଙ୍କୁ ନିଜ କ୍ୟାମ୍ପରେ ସାମିଲ କରିଥିଲେ । କିନ୍ତୁ ଏହା ପୂର୍ବରୁ ବୈଜୟନ୍ତଙ୍କୁ ନେଇ ଅନେକ ହିସାବ କିତାବ କାଳେ ଅପରାଜିତା କରିଥିଲେ ବୋଲି କୁହାଯାଏ । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ କାଟତି କମାଇବାକୁ ବୈଜୟନ୍ତଙ୍କୁ ଅପରାଜିତା ଅସ୍ତ୍ର କରିଥିଲେ ବୋଲି କୁହାଯାଏ । ବୈଜୟନ୍ତଙ୍କ ପାରିବାରିକ ମାଲିକାନାରେ ଥିବା ଚ୍ୟାନେଲରେ ନିଜର ପ୍ରଚାର ପ୍ରସାର କରାଇ ରାଜନୈତିକ ଫାଇଦା ଉଠାଇବାରେ ଟିକିଏ ବି ସୁଯୋଗ ଅପରାଜିତା ହାତଛଡା କରିନଥିବା କୁହାଯାଏ । ଏପରିକି ବୈଜୟନ୍ତଙ୍କ ମିଡ଼ିଆ ଜରିଆରେ ନିଜକୁ ଡିଫେଣ୍ଡ କରୁଥିଲେ ବୋଲି ଶୁଣିବାକୁ ମିଳେ । କିନ୍ତୁ ଯେତେବେଳେ ବୈଜୟନ୍ତ ରାଜ୍ୟ ବିଜେପି ରାଜନୀତିରେ ଅଧିକ ସକ୍ରିୟ ହେବାକୁ ଉଦ୍ୟମ କରିବାରୁ ଏବେ ଉଭୟ ଗୋଷ୍ଠୀ ମଧ୍ୟରେ ଆଗ ଭଳି ସୁମଧୁର ସମ୍ପର୍କ ନଥିବା ଚର୍ଚ୍ଚା ହେଉଛି ।

ବିଲେଇ କପାଳକୁ ଶିକା ଛିଡିବା ଭଳି ବୈଜୟନ୍ତଙ୍କ କ୍ୟାମ୍ପ ସହ ଅପରାଜିତାଙ୍କ କ୍ୟାମ୍ପର ସମ୍ପର୍କରେ ଭଟ୍ଟା ପଡୁ ପଡୁ ଜୁଆର ଭାବେ ସୌମ୍ୟରଞ୍ଜନଙ୍କ କ୍ୟାମ୍ପ ଅପରାଜିତାଙ୍କ ଆଡକୁ ମାଡି ଆସିଥିବା କୁହାଯାଉଛି । ମନ୍ତ୍ରୀପଦ ନ ମିଳିବା ପରେ ସୌମ୍ୟ ବିଜେଡି ଉପରେ ଖପ୍ପା ହୋଇଥିବା ବେଳେ ଅପରାଜିତା ଏହି ନିଆଁରେ ଘିଅ ଢାଳିବା କାମ କରୁଥିବା କୁହାଯାଉଛି । ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ସୌମ୍ୟଙ୍କ ସ୍ୱରରେ ଅପରାଜିତା ସ୍ୱର ମିଳାଇଥିବା ଚର୍ଚ୍ଚା ହେଉଛି । ଯେହେତୁ ବିଜେପିରେ ତାଙ୍କ କଥାକୁ କେହି ସମର୍ଥନ କଲେନି ତେଣୁ ସୌମ୍ୟଙ୍କ କାନ୍ଧରେ ବନ୍ଧୁକ ରଖି ଅପରାଜିତା ଏବେ ରାଜନୈତିକ ଗୁଳି ଫୁଟାଇବା ଆରମ୍ଭ କରିଥିବା କୁହାଯାଉଛି । ସୌମ୍ୟଙ୍କୁ ତାଙ୍କ ସ୍ୱରରେ ସ୍ୱର ମିଳାଇବାକୁ ଜଣେ ସାଥୀ ଦରକାର ହେଉଥିବା ବେଳେ ଅପରାଜିତାଙ୍କୁ ଦରକାର ମିଡିଆ ମାଇଲେଜ । ଯାହା ଏବେ ବିନା କୌଣସି ବାଧାରେ ଅପରାଜିତାଙ୍କୁ ମିଳୁଥିବା କୁହାଯାଉଛି । ଅପରାଜିତାଙ୍କ ପାଇଁ ସୌମ୍ୟ ନିଜ ମିଡ଼ିଆ ଦ୍ୱାର ଖୋଲି ଦେଇଥିବା ଶୁଣିବାକୁ ମିଳୁଛି ।
ଅପରାଜିତାଙ୍କର ପ୍ରେସମିଟର ଘଣ୍ଟା ଘଣ୍ଟା ଲାଇଭ ଠାରୁ ଆରମ୍ଭ କରି ଅପରାଜିତାଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ କନକ ଟିଭି ପରଦାରେ ଦେଖିବାକୁ ମିଳୁଛି । ମାଗଣା ମାଗଣାରେ ଅପରାଜିତାଙ୍କୁ ଏହା ଠାରୁ ବା ଅଧିକ କଣ ଦରକାର? ସୌମ୍ୟଙ୍କର ଏହି ମାଗଣା ମିଡ଼ିଆ ମାଇଲେଜ ଅଫର ପାଇବା ପରେ ଅପରାଜିତା ବୈଜୟନ୍ତଙ୍କ ହାତ ଛାଡିଥିବା କୁହାଯାଉଛି । ଏହାଛଡା ବୈଜୟନ୍ତ ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରନ୍ତୁ ତାହା ଅପରାଜିତା ଚାହୁଁନଥିବା ଶୁଣିବାକୁ ମିଳୁଛି । ସୌମ୍ୟ ଅନ୍ୟ ଦଳର ହୋଇଥିବାରୁ ଅପରାଜିତାଙ୍କ ରାସ୍ତାରେ କଣ୍ଟା ହେବା ସମ୍ଭାବନା କମ । କିନ୍ତୁ ବୈଜୟନ୍ତଙ୍କ ସହ ମିଶି ଆଗକୁ ବଢିଲେ ଏହା ଅପରାଜିତାଙ୍କ ପାଇଁ ବ୍ୟାକଫାୟାର ହୋଇପାରେ ବୋଲି ତାଙ୍କ କ୍ୟାମ୍ପ ଚିନ୍ତା କରୁଥିବା କୁହାଯାଉଛି । ଯେଉଁଥିପାଇଁ ଏବେ ବୈଜୟନ୍ତଙ୍କ ହାତ ଛାଡି ସୌମ୍ୟ ସ୍ୱରରେ ଅପରାଜିତା ସ୍ୱର ମିଳାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ସୌମ୍ୟ ବାବୁ ବି ସାବଧାନ ହୋଇଯାଆନ୍ତୁ, ସ୍ୱାର୍ଥ ସରିଲେ ଏଠି କେହି ନୁହେଁ କାହାର?



