ପ୍ରମିଳା: ଚାଷୀ ପରିବାରରୁ ବାଚସ୍ପତି

ଆଗ୍ରହ, ସମର୍ପଣ ହିଁ ମଣିଷକୁ ଶୂନ୍ୟରୁ ଶୀର୍ଷକୁ ଉଠିବା ପାଇଁ ବଳ ଦେଇଥାଏ  । ଜନସେବା ଲୋକଙ୍କ ପାଖରେ ଆପଣାର କରିଥାଏ । ଜନତାଙ୍କ ପ୍ରତି ସମର୍ପଣ ଭାବ ଏବଂ ବିଜୁ ଜନତା ଦଳର ଆଦର୍ଶରେ ନିଜକୁ ଦିକ୍ଷିତ କରି ସାରା ଓଡ଼ିଶାରେ ଚର୍ଚ୍ଚିତ ପାଲଟିଥିଲା ନିଆରା ନେତ୍ରୀ ତଥା ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହେଉଛନ୍ତି ପ୍ରମିଳା ମଲ୍ଲିକ  । ପ୍ରମିଳାଙ୍କର ସଫଳତାର କାହାଣୀ ଯେତିକି ଭିନ୍ନ ତାଙ୍କ ଜୀବନ ଯାତ୍ରା ସେତିକି ପ୍ରେରଣାଦାୟୀ  ।

ଝାଟିମାଟିର ନୁଆଁଣିଆ ଚାଳଘର। ଗାଁରେ କାଦୁଆ ରାସ୍ତା, କେବଳ ଚାଷ ଉପରେ ନିର୍ଭର କରି ବଞ୍ଚୁଥ‌ିବା ନିପଟ ମସଫଲ ଅଞ୍ଚଳ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାଁସଡା ପଞ୍ଚାୟତରେ ୧୯୬୩ ମସିହା ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରମିଳା ମଲ୍ଲିକ ଏବେ ବିଧାନସଭାରେ ନୂତନ ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି  । ଝାଟିମାଟି ଚାଳ ଛପର ଘରୁ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଅଳଂକୃତ କରିବା ପର୍ଯ୍ୟନ୍ତ ପ୍ରମିଳାଙ୍କ ଜୀବନ କାହାଣୀ ଖାଲି ସଂଘର୍ଷମୟ ନଥିଲା, ଏହା ମଧ୍ୟରେ ଲୁଚି ରହିଥିଲା ରାଜ୍ୟ ନାରୀ ପ୍ରଗତିର ସୁନ୍ଦର ପ୍ରେରଣାଟିଏ ।

ଅଭାବୀ ପରିବାରରେ ଜନ୍ମ ନେଇଥିବା ପ୍ରମିଳାଙ୍କ ପରିବାର ବାପା, ମା ଓ ତିନି ଭାଇଙ୍କୁ ନେଇ। ୬ ପ୍ରାଣୀ କୁଟୁମଙ୍କୁ ସ୍ଵଳ୍ପ ଓ ସୀମିତ ରୋଜଗାର ମଧ୍ୟରେ ଲାଳନପାଳନ କରିବା ପିତାମାତାଙ୍କ ପକ୍ଷେ ଯଦିଓ କଷ୍ଟସାଧ୍ୟ ଥିଲା, ତଥାପି ସେମାନେ ପିଲାଙ୍କୁ ଉଚ୍ଚଶିକ୍ଷିତ ଓ ସଂସ୍କାରୀ କରିବାରେ ଆଦୌ କାର୍ପଣ୍ୟ କରିନଥିଲେ। ମାଁସଡାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରମିଳାଙ୍କ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ପରେ ସେ କଲ୍ୟାଣପୁର ପଞ୍ଚାୟତର ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ କରିବା ପରେ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିଥିଲେ। ଯାଜପୁରସ୍ଥିତ ନରସିଂହ ଚୌଧୁରୀ ମହାବିଦ୍ୟାଳୟରୁ ପ୍ରମିଳା ସ୍ନାତକ ପାସ କରିଥିଲେ। ତେବେ ଛାତ୍ରୀ ଜୀବନରୁ ପ୍ରମିଳା ଜନସେବା, ଗାଁଗହଳିରେ ଅଭାବ ଅସୁବିଧାରେ ଥ‌ିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରିବା ଏବଂ ସେମାନଙ୍କୁ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିଆସିଥିଲେ । ଟାଙ୍ଗୀ ଚୌଦାର ବ୍ଲକ କଳ ଅଞ୍ଚଳର ଇଂ.ଦାମୋଦର ମଲ୍ଲିକଙ୍କ ସହ ପ୍ରମିଳାଙ୍କ ବିବାହ ହୋଇଥିଲା ।

୧୯୯୦ ମସିହାରେ ପ୍ରମିଳା ମଲ୍ଲିକ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ପ୍ରତି ଆକୃଷ୍ଟ ହୋଇ ରାଜନୀତିରେ ପାଦ ଥାପିଥିଲେ। ୧୯୯୦ରେ ଜନତା ଦଳରୁ ବିଞ୍ଝାରପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥ‌ିବା ପ୍ରମିଳାଙ୍କୁ ସେତେବେଳେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏସବୁକୁ ସେ ଆଦୌ ଖାତିର ନକରି ଜନସେବାକୁ ମୁଳମନ୍ତ୍ର ଓ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ନିଜର କର୍ମପଥରେ ଆଗେଇ ଚାଲିଥିଲେ । ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନାରୀନେତ୍ରୀ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥ‌ିବା ବେଳେ ବିଜେଡି ମଧ୍ଯ ତାଙ୍କୁ ଅନେକ ଗୁରୁତ୍ବପୁର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଆସିଛି । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ନିଜର ଦକ୍ଷ ନେତୃତ୍ବ ଓ ଜନସେବା ପାଇଁ ସର୍ବଦା ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି ପ୍ରମିଳା । ନିଜ ନିର୍ବାଚନମଣ୍ଡଳୀରେ ପ୍ରମିଳାଙ୍କୁ ଅଧିକାଂଶ ସମୟରେ ଦେଖ‌ିବାକୁ ମିଳେ।   ବିପର୍ଯ୍ୟୟ ସମୟରେ ପ୍ରମିଳା ଲୋକଙ୍କ ସେବା ପାଇଁ ଗାଁ ଗାଁ ବୁଲି ସମସ୍ତଙ୍କର ପାଖରେ ଛିଡା ହୋଇଥାନ୍ତି  । ବନ୍ୟା ବାତ୍ୟା ସମୟରେ ଆଣ୍ଠୁଏ ପାଣିରେ ପଶି ବିପନ୍ନଙ୍କୁ ଭେଟିବା, ସେମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା ପ୍ରମିଳାଙ୍କ ଜନସେବାକୁ ଆହୁରି ଶାଣିତ କରିଛି । ପ୍ରମିଳା ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଗୌରବ ଆଣିଥିବାବେଳେ ତାଙ୍କ ପ୍ରେରଣାଦାୟୀ କାହାଣୀ ସମସ୍ତଙ୍କ ପାଇଁ ଉଦାହରଣ  ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!