ଉନ୍ନୟନ କମିଶନର ଅନୁ ଗର୍ଗ ସମ୍ବର୍ଦ୍ଧିତ

ପ୍ରଶାସନିକ କଳରେ ଜଣେ ମହିଳା ବି ସର୍ବୋଚ୍ଚସ୍ତରରେ ଅଧିକାରୀ ହୋଇପାରିବେ । ପାରଦର୍ଶିତା ଥିଲେ ମହିଳା ଆଇଏଏସ ମଧ୍ୟ ରାଜ୍ୟର ଶାସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବେ । ଓଡ଼ିଶା ଶାସନ ଇତିହାସରେ ଏକଥାକୁ ପ୍ରମାଣିତ କରିଛନ୍ତି ଉନ୍ନୟନ କମିଶନର ଅନୁଗର୍ଗ । ମୁଖ୍ୟ ଶାସନ ସଚିବଙ୍କ ପରେ ଦ୍ବିତୀୟ ପାଓ୍ବାରଫୁଲ ପଦବୀ, ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇ ନିଜ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ଓଡ଼ିଶାରେ ପ୍ରଥମ ମହିଳା ଆଇଏଏସ ଭାବେ ସେ ଜଳସଂପଦ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବା ସହ ଉନ୍ନୟନ କମିଶନର ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି  ।

୧୯୯୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅନୁ ଗର୍ଗ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିବା ଅନୁ ପିଲାଟି ବେଳରୁ ମେଧାବୀ ଥିଲେ । ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖି ଆଗକୁ ବଢିଚାଲିଥିଲେ । ଶିକ୍ଷା ଜୀବନରେ ପ୍ରତିଟି ପାହାଚକୁ ସଫଳତାର ସହିତ ଅତିକ୍ରମ କରି ଆଇଏଏସ ବନିବା ସହିତ ଜନସେବାରେ ନିଜକୁ ସମର୍ପି ଦେଇଥିଲେ  । ମହିଳାମାନଙ୍କ ସଶକ୍ତିକରଣ ପାଇଁ ସର୍ବଦା ଉଦ୍ୟମ କରିଛନ୍ତି ଅନୁଗର୍ଗ  ।

ଯେତେବେଳେ କଳାହାଣ୍ଡି ଭୋକର ଗଡ଼ ଭାବେ ସାରା ବିଶ୍ବରେ କଳଙ୍କ ମୁଣ୍ଡାଇଥିଲା । ନିଜେ ଦେଶର ପ୍ରଧାନମନ୍ତ୍ରୀ କଳାହାଣ୍ଡି ଆସି ସ୍ଥିତି ସମୀକ୍ଷା କରିଥିଲେ  । ସେଭଳି ଏକ ଜିଲ୍ଲାରେ କ୍ୟାରିଅର ଆରମ୍ଭ କରିଥିଲେ ଅନୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭାବରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ଅନୁନ୍ନତ ଅଞ୍ଚଳରେ ବିକାଶ କରିବାର ଲକ୍ଷ୍ୟ ରଖି ପ୍ରତିଟି ସମୟ ନିଜକୁ ଲୋକଙ୍କ ସେବାରେ ଲଗାଇଥିଲେ  । ରାଜ୍ୟ ସରକାରଙ୍କ ବିକାଶ ଆଭିମୁଖ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରି ପ୍ରତିଟି ବିକାଶମୂଳକ କାର୍ଯ୍ଯକୁ ଆଗେଇ ନେଇଥିଲେ ଅନୁ ଗର୍ଗ  । ଆଜି କଳାହାଣ୍ଡି ଭୋକର ଭୁଗୋଳରୁ ବିକାଶର ଭାତହାଣ୍ଡିରେ ରୂପାନ୍ତରିତ ହୋଇଛି  । ଏ ଅଦ୍ଭୁତପୂର୍ବ ବିକାଶରେ ଅନୁ ଗର୍ଗଙ୍କ ଅବଦାନ ଅତୁଳନୀୟ ।

ରାଜ୍ୟର ବିପତ୍ତି ସମୟରେ ନିଜର ପାରଦର୍ଶିତା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଭରସାଯୋଗ୍ୟ ଅଫିସର ହୋଇପାରିଛନ୍ତି ଅନୁ ଗର୍ଗ । କୋଭିଡ ପର୍ଯ୍ୟବେକ୍ଷକ ଭାବେ ସଫଳତାର ସହିତ ଦାୟିତ୍ବ ତୁଲାଇ ମହାମାରୀ ବିରୋଧୀ ଅଭିଯାନରେ ସେ ଗୁରୁଦାୟିତ୍ବ ତୁଲାଇଥିଲେ  । ଏହାଛଡ଼ା ଜଳସଂପଦ ବିଭାଗର ସଚିବ ଭାବେ ବେଶ୍ ସଫଳତା ପାଇଛନ୍ତି ଅନୁ । ଅନୁଙ୍କ ତତ୍ତ୍ବାବଧାନରେ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଦ୍ରୁତ ବିକାଶ ଆସିଛି  । ଏକାଧିକ ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ଓ ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି  । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଆଦି ଅନେକ ପ୍ରକଳ୍ପର ସଫଳ ରୂପାୟନରେ ଅନୁଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ରାଜ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିପ୍ଲବ ଆଣିଥିବା ମିଶନ ଶକ୍ତିର ପ୍ରତିଷ୍ଠାତା  ନିର୍ଦ୍ଦେଶକ ଥିଲେ ଅନୁଗର୍ଗ  । ମହିଳାଙ୍କୁ ସଶକ୍ତ କରିବାକୁ ସେ ନିର୍ଦ୍ଧାରଣ କରିଥିଲେ ପ୍ରାଥମିକ ନୀତି । ଜଣେ ନାରୀ ଶକ୍ତିର ଉଦାହରଣ, ମହିଳା ସଶକ୍ତିକରଣ ପ୍ରେରଣା ଓ ରାଜ୍ୟର ବିକାଶରେ ପ୍ରମୁଖ ଅବଦାନ ରଖିଥିବା ଅନୁଗର୍ଗଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବେ ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!