() ଜେଲରେ ଥାଇ ମିଳିଲା ନୋବେଲ ଶାନ୍ତି ପୁରସ୍କାର । ଇରାନର ମହିଳା ସାମ୍ବାଦିକ ତଥା ସମାଜସେବୀ ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର । ଇରାନର 51 ବର୍ଷୀୟ ନର୍ଗିସ ମହିଳାଙ୍କ ସ୍ବାଧିନତା ଓ ଅଧିକାର ପାଇଁ କାମ କରିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ବାଧାବିଘ୍ନର ଶୀକାର ହେବାକୁ ପଡ଼ିଛି । ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏବେ ମଧ୍ୟ ନରଗିସ ଜେଲରେ ଅଛନ୍ତି । ମହିଳାଙ୍କ ଅଧିକାର ପାଇଁ କାମ କରିଥିବାରୁ ତାଙ୍କୁ ୧୩ ଥର ଗିରଫ କରାଯାଇଛି ।
ସେ ଏବେ ଇରାନର ଏବିନ ଜେଲରେ ୩୧ ବର୍ଷ ପାଇଁ ଦଣ୍ଡ ଭୋଗୁଛନ୍ତି । ତାଙ୍କୁ ୧୫୪ ଥର ଚାବୁକ ମାଡ଼ ପାଇଁ ମଧ୍ୟ ଦଣ୍ଡାଦେଶ ହୋଇଛି । ମାନବାଧିକାର ଓ ମହିଳା ସ୍ବାଧୀନତା ଲାଗି ସଂଗ୍ରାମ କରି ସେ ବ୍ୟକ୍ତିଗତ ଭାବେ ଅନେକ ସଂଘର୍ଷ ସାମ୍ନା କରିଛନ୍ତି ବୋଲି ନୋବେଲ କମିଟି କହିଛି । ଇରାନ ସରକାର ବିରୋଧରେ ଷଡ଼ଯନ୍ତ୍ର ଏବଂ ଏଜେଣ୍ଡା ଚଳାଇବା ପାଇଁ ନର୍ଗିସଙ୍କୁ ଗିରଫ କରାଯାଇଛି । ନୋବେଲ ପୁରସ୍କାର ଘୋଷଣା ପରେ ନର୍ଗିସଙ୍କୁ ୮.୩୩ କୋଟି ଏବଂ ନୋବେଲର ଗୋଲ୍ଡ ମେଡାଲ ଦିଆଯିବ । ୧୯୯୦ ମସିହାରୁ ମହିଳାଙ୍କ ଅଧିକାର ପାଇଁ କାମ କରୁଛନ୍ତି ନର୍ଗିସ ।



