ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଦିଗରେ ଏହା ସହାୟକ ହେବ। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥି ସମ୍ବନ୍ଧିତ ଏକ ବୈଠକରେ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ପକ୍ଷରୁ ଆଗତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ। ଏଥି ପାଇଁ ଉପକୃତ ହେବାକୁ ଥିବା ମତ୍ସ୍ୟଜୀବୀ, ପର୍ଯ୍ୟଟକ ବୋଟ ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ନୂତନ ବୋଟର ସହଜ ପରିଚାଳନା ଓ ସରଳ ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ଓ୍ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ’ରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି ଭାବରେ କାର୍ଯ୍ୟ କରେ। ଚିଲିକା ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି।

