ନିବେଶ ହାତେଇବାରେ ଓଡ଼ିଶା ଦ୍ବିତୀୟ: ପ୍ରମୁଖ ଶିଳ୍ପ ସଚିବ

ସାମାଜିକ ଓ ଅର୍ଥନୈତିକ ବିକାଶ ତ୍ବରାନ୍ବିତ କରିବା ଲାଗି ଖଣି ରାଜସ୍ବ ବୃଦ୍ଧି ଧାରା ଜାରି ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।ଜାତୀୟ ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ତିନି ବର୍ଷ ପୂର୍ବେ ଖଣିରୁ ମିଳିଥିବା ରାଜସ୍ବ ୧୦ ହଜାର କୋଟି ଟଙ୍କା ଥିଲା। ଗତବର୍ଷ ତାହା ୪୯ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସେ କହିଲେ, ବିକାଶ ଧାରା ବଜାୟ ରଖିବା ଲାଗି ଖଣି ରାଜସ୍ବରେ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଉଛି।

ଖଣି ରାଜସ୍ବ ସର୍ବଦା ସମାନ ରହିନଥାଏ। ତେଣୁ ଅଧିକ ରାଜସ୍ବ ପାଇବା ଲାଗି ଏକମାତ୍ର ବାଟ ହେଉଛି ଅଧିକ ଖଣିଜ ପଦାର୍ଥ ଉତ୍ପାଦନ କରିବା। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଆଉ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରମୁଖ ଆଲୁମିନିୟମ କଂପାନିଗୁଡ଼ିକ ମଧ୍ୟ ସେମାନଙ୍କ କାରଖାନା ରାଜ୍ୟରେ ସ୍ଥାପନ କରିବାକୁ ଯାଉଛନ୍ତି। ଅଧିକ କାରଖାନା ପାଇଁ ଅଧିକ କଞ୍ଚାମାଲ ଦରକାର। ତାହା ସୁନିଶ୍ଚିତ କରିବା ଦିଗରେ ସରକାର କାମ କରୁଛନ୍ତି। ଅଧିକରୁ ଅଧିକ ଖଣି ନିଲାମ କରାଯାଉଥିବା ବେଳେ ଖଣିରୁ ଯେଭଳି ଠିକ୍ ସମୟରେ ଖଣିଜ ପଦାର୍ଥ ବାହାର କରାଯିବ, ତାହାକୁ ସଠିକ୍ ଉପାୟରେ କାରଖାନାକୁ ପରିବହନ କରିବା ଏବଂ ସେଠାରେ ତାହାର ଉପଯୁକ୍ତ ବିନିଯୋଗ ନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।

ଏହି ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବା ଲାଗି ଡିଜିଟାଲ୍ ବ୍ୟବସ୍ଥା ବିକାଶ କରାଯାଇଛି ବୋଲି ସେ କହିଛନ୍ତି।ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ୨୦୨୨-୨୩ରେ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରି ଓଡ଼ିଶା ପୁଞ୍ଜିନିବେଶ ହାତେଇବାରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଏହି ସମୟରେ ବ୍ୟାଙ୍କ ସମର୍ଥିତ ନିବେଶ ପ୍ରକଳ୍ପ ହାସଲ କରିବାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି। ରାଜନୈତିକ ସ୍ଥିରତା ଓ ସୁଲଭ ମୂଲ୍ୟରେ ଦକ୍ଷ ଶ୍ରମଶକ୍ତି ଉପଲବ୍ଧତା ଓଡ଼ିଶାକୁ ନିବେଶକମାନଙ୍କ ପସନ୍ଦର ସ୍ଥଳରେ ପରିଣତ କରିଥିବା ସେ କହିଛନ୍ତି। ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଖଣି ଓ ଶିଳ୍ପର ଅବଦାନ ଯଥାକ୍ରମେ ୧୩ ପ୍ରତିଶତ ଓ ୪୦ ପ୍ରତିଶତ ରହିଛି। ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ କ୍ଷମତା ୧୩୮ ନିୟୁତ ଟନ୍‌କୁ ଓ ଆଲୁମିନିୟମ ଉତ୍ପାଦନ କ୍ଷମତା ୩.୮୪ ନିୟୁତ ଟନ୍‌କୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ଥାଇସେନ୍‌କ୍ରୁପ୍, କୋମାସୁ, ଥର୍ମୋଫିସର, ସାଇଣ୍ଟିଫିକ୍, ଟାଟା ହିଟାଚି, କୋଲ ଇଣ୍ଡିଆ, ହୁଣ୍ଡାଇ, କେଏସ୍‌ବି ପମ୍ପସ୍‌, ସାନି, ଟେଗା ଇଣ୍ଡଷ୍ଟ୍ରିଜ୍, ଏଲ୍‌ଆଣ୍ଡଟି ଭଳି କଂପାନି ଓ ୨୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ସଚିବ ଅନୁରାଗ ଜୈନ, ରାଜ୍ୟ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡି କେ ସିଂହ, ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ, ସିଆଇଆଇ ଏମ୍‌ସିଇଡିର ଅଧ୍ୟକ୍ଷ ବିବେକ ଭାଟିଆ, ଇଷ୍ଟର୍ଣ୍ଣ କମାଣ୍ଡ୍‌ର ମୁଖ୍ୟ ଇଞ୍ଜିନିୟର ମେଜର ଜେନେରାଲ ପ୍ରବୀର ବଦ୍ରିନାଥ ଓ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଉପସ୍ଥିତ ଥିଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!