ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଜାରି ରହିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୁଟ୍ କ୍ୟାମ୍ପ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆୟୋଜନ କରାଯାଇଥିବା ଭ୍ୟାନ୍ ଓ ବୁଟ୍ କ୍ୟାମ୍ପ୍ ଜରିଆରେ ଷ୍ଟାର୍ଟଅପ୍ ଓଡ଼ିଶା ୨୦୦ରୁ ଅଧିକ କଲେଜ ଓ ୫୦ରୁ ଅଧିକ ସ୍କୁଲର ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚିପାରିଛି।
ସେମାନଙ୍କଠାରୁ ୩୭୦୦ରୁ ଅଧିକ ଆଇଡିଆ ସଂଗ୍ରହ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ, ଏଆଇସି ଏନଆଇଟିଏଫ୍ର ସିଓଓ ଦୁର୍ଗାପ୍ରସାଦ ଗୌଡ଼, ୭୨ ଡିଆପିଆଇ ସ୍କିଲ୍ସର ପ୍ରତିଷ୍ଠାଟା ସୋନି ସାମଲ, ଷ୍ଟାର୍ଟଅପ୍ ଓଡ଼ିଶାର ବରିଷ୍ଠ ମିସନ ଆସୋସିଏଟ ରଶ୍ମି ରଞ୍ଜନ ସାହୁ ଉପସ୍ଥିତ ଥିଲେ।
ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ୫୦୦୦ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ଲକ୍ଷ୍ୟ ରହିଛି। ଏହି ଆଇଡିଆଗୁଡ଼ିକ ମଧ୍ୟରୁ ଅଧିକାଂଶ ବାସ୍ତବ ଷ୍ଟାର୍ଟଅପ୍ରେ ରୂପାନ୍ତରିତ ହେବ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର୍ ରାଏ କହିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହା ୩୭ ଦିନ ଅତିକ୍ରମ କରିସାରିଲାଣି। ଯାତ୍ରା ଶେଷ ହେବା ବେଳକୁ ଛାତ୍ରଛାତ୍ରୀମାନଙ୍କଠାରୁ ମିଳୁଥିବା ଆଇଡିଆ ସଂଖ୍ୟା ଆମ ଆଶାଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୪୧ ପ୍ରତିଶତ ଷ୍ଟାର୍ଟଅପ୍ ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ପରିଚାଳିତ ହେଉଛି ବୋଲି ସେ କହିଛନ୍ତି।
ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ମହିଳାଙ୍କ ଦ୍ବାରା ସ୍ଥାପନ ହେଉଥିବା ଷ୍ଟାର୍ଟଅପ୍ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଷ୍ଟାର୍ଟଅପ୍ ଓଡ଼ିଶା ଏକ ବରଦାନ ସଦୃଶ। ଛାତ୍ରୀମାନେ ଏହି କ୍ୟାମ୍ପରୁ ଶିକ୍ଷା ଲାଭ କରି ସଫଳ ଉଦ୍ୟୋଗୀ ହୋଇପାରିବେ ପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

