ରାଜ୍ୟର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ କ୍ୟାମ୍ପସର ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ। ଏଥିରେ ରହିଛି ହସ୍ପିଟାଲିଟି – ଫୁଡ୍ ଆଣ୍ଡ ବେଭେରେଜ୍ ଅପରେସନସ୍, ହସ୍ପିଟାଲିଟି – ହୋଟେଲ ଅପରେସନସ୍, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ଆଦି ବିଷୟ।
ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ଥିଲେ।

