ଆମ ଶ୍ରୀମନ୍ଦିରର ଓଡିଶାର ସଂସ୍କୃତି ଏବଂ ଜୀବନଶୈଳୀ ଉପରେ ସବିଶେଷ ସ୍ଥାନ ରହିଛି । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଥିଲା । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ରୂପେ ଗଢିତୋଳିବାକୁ ପରିକ୍ରମା ପ୍ରକଳ୍ପ ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ନୂଆ ଭେଟି ପାଇବେ ଜଗନ୍ନାଥପ୍ରେମୀ ସବୁଜ ବଳୟରେ ଶୋଭା ପାଇବ ଉତ୍କଳୀୟ କଳାକୃତିର ଝଲକ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୩୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପ୍ରକଳ୍ପ । ଏହି ପ୍ରକଳ୍ପରେ ଶ୍ରୀସେତୁ, ବହୁତଳ ପାର୍କିଂ, ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାର, ସ୍ପୋର୍ଟସ କମ୍ପ୍ଲେକ୍ସ ଆଦିର ନିର୍ମାଣ ଦ୍ରୁତଗତିରେ ଚାଲିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ସ୍ବପ୍ନର ପ୍ରକଳ୍ପ ହୋଇଥିବାବେଳେ ଏହାକୁ ସାକାର କରିବାକୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି । ଯେଉଁ କେତେଜଣ ବରିଷ୍ଠ ଅଧିକାରୀ ପରିକ୍ରମା ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାକୁ ଦିନରାତି ଏକ କରିଦେଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଲେ ରଞ୍ଜନ ଦାସ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରତ୍ଯେକ୍ଷ ତତ୍ତ୍ବାନଧାନରେ ପୁରୀ ପରିକ୍ରମା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।୨୦୦୭ ବ୍ୟାଚର ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସ । ବର୍ତ୍ତମାନ ରଞ୍ଜନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ
କରୁଛନ୍ତି । ଗତ ରଥଯାତ୍ରାର ଠିକ୍ ମାସକ ପୂର୍ବରୁ ରଞ୍ଜନଙ୍କୁ ମୁଖ୍ୟ ପ୍ରଶାସକ ଭାବେ ଗୁରୁଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାରେ ରଞ୍ଜନଙ୍କ ଉପରେ ଭରସା କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ସାହିତ୍ୟ ଓ କଳା ପ୍ରେମୀ ରଞ୍ଜନ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ । ପରିକ୍ରମା ପ୍ରକଳ୍ପକୁ ଦ୍ରୁତ ଗତିରେ ଆଗେଇନେବା ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ବୟ ରଖି କାମକୁ ସୁରୁଖୁରୁରେ କରିବା ଦିଗରେ ରଞ୍ଜନଙ୍କ ଭୂମିକା ଉଲ୍ଲେଖନୀ । ସେବାୟତ, ମନ୍ଦିର ରୀତିନୀତି, ବିଭିନ୍ନ ବିଭାଗ, ଏବଂ ଜନସାଧାରଣଙ୍କ ସହ ପରିଚିତ ହେବା ସହ ଅକ୍ଲାନ୍ତ ପରିଶ୍ରମ କରି ପରିକ୍ରମା ପ୍ରକଳ୍ପକୁ ଆଗକୁ ନେବା ଓ ଶ୍ରୀମନ୍ଦିର ରୀତିନୀତିରେ ସଂସ୍କାର ଆଣିବାରେ ସେ ସଦାସର୍ବଦା ଉଦ୍ୟମରତ । ଶ୍ରଦ୍ଧାଳୁଙ୍କୁ କିପରି ସର୍ବଶ୍ରେଷ୍ଠ ଅନୁଭୂତି ଦିଆଯାଇପାରିବ ସେଥିପାଇଁ ସବୁବେଳେ ଚିନ୍ତା କରିଛନ୍ତି ରଞ୍ଜନ ।
ରଞ୍ଜନ ଦାସ ଜଣେ ଓଡ଼ିଆ ପ୍ରଶାସନିକ ଅଧିକାରୀ ହେଲେ ମଧ୍ୟ ତାଙ୍କ ଭିତରର ସାହିତ୍ୟ ଚେତନା ତାଙ୍କୁ ସାହିତ୍ୟିକ ଭାବେ ପ୍ରରିପ୍ରକାଶ କରିଛି । ଓଡ଼ିଆ କଥାଚିତ୍ରରେ କାହାଣୀ, ସଂଳାପ ଓ ଗୀତ ରଚନା କରି ସେ ବେଶ୍ ଚର୍ଚ୍ଚିତ ଆଦର ଲାଭ କରିଛନ୍ତି । ୧୯୬୪ ମସିହା ମେ ୨୭ ତାରିଖରେ କାମାକ୍ଷାନଗର ଅନ୍ତର୍ଗତ ବଇସିଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ରଞ୍ଜନ । ସେ ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ରହିଥିଲେ । ଯାଜପୁର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସାହିତ୍ୟିକ ଭାବରେ ସେ ଅନେକ ରଚନା କରିଛନ୍ତି। ତାଙ୍କର ଅନେକ ରଚନା ମଧ୍ୟରେ ରହିଛି ସମର୍ପିତ ଚିରକାଳ, ମୋହମେଦୁର, ସ୍ୱପ୍ନପାଇଁ ସନ୍ଧିକାଳ, ବଞ୍ଚିବାର ବର୍ଣ୍ଣବୋଧ, ପାଇନ୍ ବନର ବଂଶୀ, ସମୟର ସାତରଙ୍ଗ, ଥାଇ ଘୋର ଜଳେଣ ଅନବଦ୍ୟ କୃତି । ସାହିତ୍ୟରେ ସାଧନା ପାଇଁ ସେ ସପ୍ତର୍ଷି କବିତା ପୁରସ୍କାର, କଳିଙ୍ଗ ପୁସ୍ତକ ମେଳା ପୁରସ୍କାର, କାଦମ୍ବିନୀ କବିତା ପୁରସ୍କାର, ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ, ସାଳନ୍ଦୀ ପୁସ୍ତକ ମେଳା ସମ୍ମାନ ପ୍ରାପ୍ତ ହୋଇଛନ୍ତି ।
ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି। ଯାହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ପରିକ୍ରମା ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି । ପ୍ରକଳ୍ପ କାମ ଚାଲିଥିବା ବେଳେ ଏବେଠୁ ଏହା ଆକର୍ଷଣର କେନ୍ଦ୍ର ପାଲଟିଛି । ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଆହୁରି ଚିତାକର୍ଷକ ହେବ । ଐତିହ୍ୟ ପ୍ରକଳ୍ପ କାମ ସରିଲେ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରିତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ। ପରିକ୍ରମା ପ୍ରକଳ୍ପରେ ପାଞ୍ଚଟି ଜୋନ୍ ରହିଛି। ପ୍ରବେଶ ନିଷେଧ ଜୋନ୍, ଭିତର ପ୍ରଦକ୍ଷିଣ ଜୋନ୍, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍ କରାଯାଇଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର କରାଯିବ। ସବୁଜ ବଳୟରେ କଳାକୃତିରେ ଝଲସିବ ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ। ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୧.୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ।ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ।
ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ରହିବ। ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ସହ ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ରହିବ। ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର ସହ ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ଆଦିର ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ, ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟ ସ୍ଥଳୀ ରହିବ।ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ରହିଛି । ଆଉ ଏହାକୁ ବାସ୍ତବତାର ରୂପ ଦେବାରେ ଲାଗିପଡ଼ିଛନ୍ତି ରଞ୍ଜନ ।




