ଲୋକସେବା ଭବନରେ ଅନୁଷ୍ଠିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍ପି(ପ୍ଲସ୍) ବ୍ୟାଙ୍କ ଆଉଟ୍ଲେଟ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତିା ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅବଦାନ ଅଭିନନ୍ଦନୀୟ ା
୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର କ୍ରେଡିଟ୍ ଜମା ଅନୁପାତ ୮୧.୪୪% ଥିବାବେଳେ ଏବେ ଏହା ୮୧.୭୫% କରାଯାଇପାରିଛି। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ବ୍ୟାଙ୍କ, ଯୋଜନା ଓ ଜିଲାୱାରି ଋଣ ପ୍ରଦାନ କ୍ଷେତ୍ରରେ ପରିଲକ୍ଷିତ ବ୍ୟବଧାନ ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ବ୍ୟାଙ୍କଗୁଡ଼ିକ ଅଧିକ ଶାଖା ଓ ଅଧିକ ଏଟିଏମ୍ ଖୋଲିବା ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଗୌତମ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ ।

