ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ । ରାତିରେ ଚାଲିଥିଲା ଡିଲ୍, ତାରକାର ହୋଟେଲ୍ ସାମ୍ନାରେ ମାଡ଼ିବସିଲା CBI । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜଣେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜରଙ୍କ ସହ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂର ସିବିଆଇ ଖୁଲାସା କରିଛି । ତା’ସହ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଘଟଣାରେ କଂପାନୀର GGMଙ୍କ ସମେତ ସୁପର କ୍ଳାସ୍ କଣ୍ଟ୍ରାକଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ର ଓ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଗିରଫ କରି ତିନି ଦିନିଆ ରିମାଣ୍ଡରେ ନେଇଛି CBI ।
ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଉପରେ ମେଗା ରେଡ୍… ରାଜଧାନୀର ଛାତି ଉପରେ ରାତିରେ ହୋଇଛି ଚଢ଼ାଉ… ଛାପା ମାରିଛି CBI । ଏ ହେଉଛନ୍ତି ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା, ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ର ।
୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ଏହି ୩ ଜଣଙ୍କୁ ଗିରଫ କରିଛି ସିବିଆଇ । କେବଳ ଏତିକି ନୁହେଁ, ଚଢ଼ାଉ ବେଳେ ଦେବଦତ୍ତଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଆଉ ସୁନା ଅଳଙ୍କାର । ମିଳିଛି ଲକର୍ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଭୁବନେଶ୍ୱରର ୨ଟି, କଟକ, ଭଦ୍ରକ ଏବଂ ଗଞ୍ଜାମ ଛତ୍ରପୁରର ଗୋଟିଏ ଲେଖାଏଁ ସ୍ଥାନରେ ସିବିଆଇ ଆକସ୍ମିକ ଛାପା ମାରିଛି । କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଓ କୋଲକାତା ସହ ଦେଶର ମୋଟ ୧୧ଟି ସ୍ଥାନରେ ହୋଇଛି ମେଗା ରେଡ୍ ।

