ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ବର୍ଷ ପୂର୍ତି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଂଗ୍ରହାଳୟର ଅଭ୍ୟୁଦୟ ୧୯୩୨ ମସିହାରେ କଟକର ରେଭେନ୍ସା କଲେଜରେ ଯାହାକୁ ଆରମ୍ଭ କରିଥିଲେ ପ୍ରଫେସର ନିର୍ମଳ ଚନ୍ଦ୍ର ବାନାର୍ଜୀ ଏବଂ ପ୍ରଫେସର ଘନଶ୍ୟାମ ଦାଶ, ପରେ ଏହା କଳ୍ପନା ଛକଠାରେ ଥିବା ସୁଦୃଶ୍ୟ ଅଟ୍ଟାଳିକାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରୂପାନ୍ତରୀତ ହୋଇଥିଲା । ଭାରତ ବର୍ଷର ସଂଗ୍ରହାଳୟ ପ୍ରତିଷ୍ଠା ଯୋଜନାର ରୂପ ନେଲା କଲିକତାର ଇଣ୍ଡିଆନ୍ ମ୍ୟୁଜିୟମ ୧୮୮୪ ମସିହାରେ । ସମୟସ୍ରୋତରେ ୧୯୩୨ ମସିହାରେ ଓଡ଼ିଶାର ଏହି ପରିଯୋଜନାର ଅଙ୍କୁରୋଦଗମ ହେଲା ।

ମ୍ୟୁଜିଅମ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ଆମ ଅସ୍ମିତାର ପରିଚୟ । ଗୋଟିଏ ସଭ୍ୟତା, ଗୋଟିଏ ଜାତି ଓ ଗୋଟିଏ ସଂସ୍କୃତି ସହ ଅତୀତକୁ ଯୋଡିଥାଏ । ସଂଗ୍ରହାଳୟ ଇତିହାସ ଓ ପରମ୍ପରା ସହ ଯୋଡିଥାଏ । ଏହା ଗବେଷଣା ପାଇଁ ଏକ ଅମୂଲ୍ୟ ସଂପଦ । ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ସମାରୋହକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତ, ଆମ ସଂସ୍କୃତିକୁ ଆହୁରି ସୁଦୃଢ କରିବା ହେଉଛି ଓଡ଼ିଶା ରୂପାନ୍ତରୀକରଣର ଲକ୍ଷ୍ୟ ।

ଏବେର ଯୁବପିଢୀ ଡିଜିଟାଲ ଦୁନିଆ ସହ ଜଡିତ । ସେମାନଙ୍କୁ ଆମ ଐତିହ୍ୟ ପରମ୍ପରା ସହ ଯୋଡିବା ହେଉଛି ରୂପାନ୍ତରୀକରଣର ଲକ୍ଷ୍ୟ । ମ୍ୟୁଜିଅମକୁ ଦେଶର ବେଷ୍ଟ ମ୍ୟୁଜିଅମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ଶାସନ ସଚିବ । ଫେବ୍ରୁଆରୀରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ହେବ । ଏଥିରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଶାସନ ସଚିବ । ମ୍ୟୁଜିଅମକୁ ଫାଇଭ-ଟି ଉପକ୍ରମରେ ସାମିଲ କରାଯିବ ବୋଲି ମଧ୍ୟ କହିଛନ୍ତି ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ।

ସଂଗ୍ରହାଳୟର ସମ୍ମୁଖ ଫାଟକଠାରୁ ନିର୍ମିତ ହୋଇଅଛି ଫୁଲର ତୋରଣ ଯାହା ଦର୍ଶକମାନଙ୍କୁ ବହୁ ଦୂରରୁ ଆକର୍ଷିତ କରିବାର ଏକ ବଳିଷ୍ଠ ପଦକ୍ଷେପ ଏବଂ ଏଥିସହିତ ଏହି ତୋରଣକୁ ଲାଗିରହିଥିବା ସୁନ୍ଦର ଉଦ୍ୟାନର ମ୍ୟୁଜିକାଲ ଫାଉଣ୍ଟେନ୍ର ପ୍ରତିଷ୍ଠା କରାଯାଇଅଛି ଯାହାକୁ ଉଦ୍ଘାଟନ କରିଛନ୍ତି ମାନନୀୟ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆର. ବାଲାକ୍ରିଷ୍ଣନ୍, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ସ୍ୱତନ୍ତ୍ର ଉପକ୍ରମ । ମୁଖ୍ୟବକ୍ତା ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ, ସଭାପତି ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ଭା.ପ୍ର.ସେ କମିଶନର ତଥା ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସମ୍ମାନିତ ଅତିଥ୍ ଡକ୍ଟର ଲେନିନ୍ ମହାନ୍ତି, ଅଧ୍ଯକ୍ଷ, ଓ.ଟି.ଡ଼ି.ସି. ଶ୍ରୀ ରଞ୍ଜନ କୁମାର ଦାସ, ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର, ପୁରୀ, ଅତିଥି ସ୍ଵାଗତ ଶ୍ରୀ ଦିଲୀପ ରାଉତରାଏ, ଭା.ପ୍ର.ସେ, ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦାନ କରିଥିଲେ ।

ଏହାକୁ ଅତିକ୍ରମ କରି ଆସିବାପରେ ସଂଗ୍ରହାଳୟର ସମ୍ମୁଖ କକ୍ଷରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଭାଷାର ଶିଶୁ ଶଙ୍କର ଦାସ ରଚିତ ଉଷାଅଭିଳାଷ ପ୍ରଥମଟୀକା ଓ ତାଳପତ୍ର ଖୋଦିତ ଚିତ୍ରରାଜି ସମୂହର ଅଡ଼ିଓ ଭିଜୁଆଲ ପ୍ରଦର୍ଶନୀକୁ ଅତିଥିମାନେ ଉଦ୍ଘାଟନ କରିବାପରେ ପ୍ରକୋଷ୍ଠର ସମ୍ମୁଖ ଭାଗରେ ତଥା ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଅବସ୍ଥାପିତ ତିନୋଟି ଚକକୁ ଲୋକାର୍ପିତ କରିଥିଲେ ।

