ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ। ଦୈନଦିନ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ। ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏଁ, ଯେପର୍ଯ୍ୟନ୍ତ ହାତରେ ମୋବାଇଲ ଅଛି, ଆମେ ସୋସିଆଲ ମିଡିଆରେ ସକ୍ରିୟ ରହିଥାଉ। ଫେସବୁକ, ଏକ୍ସ(ଟ୍ବିଟର), ଇନଷ୍ଟାଗ୍ରାମ ଏପରି ଅନେକ ମନୋରଞ୍ଜନ ଭିତ୍ତିକ ସୋସିଆଲ ମିଡିଆରେ ଆମେ ସମୟ ବିତାଇଥାଉ। ଆମଠାରୁ ଏକ ଟଙ୍କା ବି ନନେଇ ମାଗଣାରେ ଏହି ସବୁ ପ୍ଲାଟଫର୍ମ ଆମକୁ ମନୋରଞ୍ଜନ ଯୋଗାଇ ଦିଅନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ମହଙ୍ଗା ଯୁଗରେ ଆପଣଙ୍କୁ ମାଗଣାରେ ସୋସିଆଲ ମିଡିଆ ବ୍ୟବହାର କରିବାକୁ କଣ ପାଇଁ ଏହି ପ୍ଲାଟଫର୍ମ ଗୁଡିକ ଦେଉଛନ୍ତି। ତେବେ ଆପଣ ଭାବୁଥିବେ ମାଗଣା କେଉଁଠି ଆମେ ତ ଇନଟରନେଟରେ ବ୍ୟବହାର କରୁଛୁ, ସେଥିରେ ଯେଉଁ ପଇସା ପକାଉଛୁ ତାହା ସୋସିଆଲ ସାଇଟ ଦେଖିବା ଦ୍ବାରା ସେମାନେ ପଇସା ପାଉଥିବେ। କିନ୍ତୁ ତାହା ସମ୍ପୂର୍ଣ୍ଣ ଠିକ ନୁହେଁ। କାରଣ ସୋସିଆଲ ନେଟୱାର୍କିଂ ସାଇଟରେ ଆପଣଙ୍କ ଡାଟା ଷ୍ଟୋର କରି ରଖିବା ପାଇଁ ବିଲିୟନ ଡଲାର ଖର୍ଚ୍ଚ ହୁଏ। ଯେଉଁଥିପାଇଁ ଫଟୋ ଓ ଭିଡିଓ ଆଦି ଅପଲୋଡ କରିହୁଏ। ଉଦାହରଣ ଭାବେ ଆମେ ଫେସବୁକକୁ ଯଦି ନେବା ତେବେ ଫେସବୁକରେ ୧୮ ଡାଟା ସେଣ୍ଟର ରହିଛି, ଯାହାର ମୂଲ୍ୟ ୨୦ ବିଲିୟନ ଡଲାର ହେବ। ଏହିପରି ଭାବେ ଅନେକ ସୋସିଆଲ ସାଇଟ ବିଲିୟନ ଡଲାର ଖର୍ଚ୍ଚ କରନ୍ତି। ତେବେ ସେମାନେ ଏହାକୁ କିପରି ଭରଣା କରନ୍ତି, ଆସନ୍ତୁ ସେବାବଦରେ ଆଲୋଚନା କରିବା।
ଆପଣ କେବେ ଭାବିଛନ୍ତି କି, କିପରି ଆପଣମାନେ ଭାବୁଥିବା ଜିନିଷକୁ ଆପଣଙ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଆକାରରେ ଦେଖିବାକୁ ମିଳେ। କିପରି ବିଏମଡବ୍ଲ୍ୟୁ କେବଳ ସେହିମାନଙ୍କୁ ଆଡରେ ଦେଖାଏ, ଯେଉଁମାନେ ଏହାକୁ କିଣିବାର କ୍ଷମତା ରଖିଥାନ୍ତି। କିପରି ରାଜନୈତିକ ଦଳ ମାନେ ଆପଣଙ୍କ ତଥ୍ୟ ପାଇଯାନ୍ତି। ସେମାନେ ଏହି ତଥ୍ୟକୁ ନେଇ କଣ କରନ୍ତି।
ଓଡ଼ିଆରେ ଏକ କଥା ରହିଛି ‘କହି–ବୋଲି ପାରିଲା ଯିଏ, ପଚା ଚିଙ୍ଗୁଡି ବିକି ପାରିଲା ସିଏ’ । ଅର୍ଥାତ ଯିଏ ଯେଉଁପରି ଭାବେ ନିଜ ଜିନିଷକୁ ଲୋକଙ୍କ ପାଖରେ ରଖିପାରିଲା, ତାହାର ଚାହିଦା ସେପରି ହେଲା। ସେଥିପାଇଁ ତ ନିଜ ନିଜିଷକୁ ବିକ୍ରି କରିବାକୁ ଲୋକେ ବିଜ୍ଞାପନର ସାହାରା ନିଅନ୍ତି। ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ ନିଜ ଜିନିଷର ବିଜ୍ଞାପନ ପହଞ୍ଚାନ୍ତି। ଯାହା ଫଳରେ ଉକ୍ତ ଜିନିଷକୁ ଚାହୁଁଥିବା ଲୋକ ଏହାକୁ କିଣିପାରେ। କିନ୍ତୁ ସମୟ ବଦଳିବା ସହ ବ୍ୟବସାୟୀ ମାନେ ମଧ୍ୟ ନିଜର ବିଜ୍ଞାପନ ଦେବା ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସେମାନେ ସେହି ଲୋକମାନଙ୍କୁ ହିଁ ଟାର୍ଗେଟ କରୁଛନ୍ତି ଯେଉଁମାନେ ତାଙ୍କ ପ୍ରଡକ୍ଟ କିଣିପାରିବାର ସାମର୍ଥ୍ୟ ରଖିଥିବେ। ଯାହା ଫଳରେ କମ ସଂଶାଧନରେ ସେମାନେ ନିଜ ଟାର୍ଗେଟ ଗ୍ରାହକଙ୍କ ପାଖରେ ସହଜରେ ପହଞ୍ଚିପାରିବେ। ତେବେ ଏହାକୁ ସରଳ କରିଦେଇଛି ସୋସିଆଲ ମିଡିଆ। ସୋସିଆଲ ମିଡିଆରୁ ହିଁ ତୁମର ପସନ୍ଦ, ନାପସନ୍ଦ, ତୁମ ଆଚାର ବ୍ୟବହାର, ଚାଲିଚଳନ ଆଦି ସବୁକିଛିକୁ ତନ୍ନତନ୍ନ କରି ତଦାରଖ କରି ତମକୁ ତାଙ୍କ ମାୟାଜାଲରେ ଛନ୍ଦି ଦେଉଛନ୍ତି। ତୁମ ପସନ୍ଦର ଜିନିଷ ବାରମ୍ବାର ତୁମକୁ ଦେଖାଇ ତୁମକୁ ସେଥିପ୍ରତି ଆକର୍ଷିତ କରାଇଦେଉଛନ୍ତି।
ସେଥିପାଇଁ ତ ସୋସିଆଲ ସାଇଟର ମାଲିକ ମାନେ ପାୱାରଫୁଲ ହେବା ସହ କୋଟିପତି ହୋଇ ବସିଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ସେମାନେ କଣ କରୁଛନ୍ତି, ସୋସିଆଲ ନେଟୱାର୍କିଂ ଜରିଆରେ ସେମାନଙ୍କ ଆମ ମଧ୍ୟକୁ ତୁମକୁ ନେଇଯାଉଛନ୍ତି, ସେଠାରେ ମାଗଣାରେ ମନୋରଞ୍ଜନ କରାଉଛନ୍ତି ଏବଂ ଲୋକଙ୍କ ଡାଟା ଏକାଠି କରୁଛନ୍ତି। ସେହି ଅନୁସାରେ ତୁମକୁ ବିଜ୍ଞାପନ ପଠାଉଛନ୍ତି। ସୂଚନା ଅନୁସାରେ, ୨୦୨୩ରେ ସୋସିଆଲ ମିଡିଆ ମାର୍କେଟ ସାଇଜ ୨୩୦ ବିଲିୟନ ରହିଛି। ଯାହାକି ଅନେକ ଦେଶର ଜିଡିପି ନୁହେଁ।
ଯେତେବେଳେ ତୁମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଖୋଲ, ସେତେବେଳେ ସେହି ସୋସିଆଲ ନେଟୱାର୍କିଂ ସାଇଟ ଓ ତୁମ ମଧ୍ୟରେ ଏକ ଡିଲ ହୁଏ। ଯାହାକି ତୁମେ ତାଙ୍କୁ ଡାଟା ଦେବ, ତାହା ବଦଳରେ ସେ ତୁମକୁ ନେଟୱାର୍କିଂ ଓ ତାହା ମାଧ୍ୟମରେ ମନୋରଞ୍ଜନ ଯୋଗାଇବେ। ଯାହାକି ଟର୍ମ ଆଣ୍ଡ କଣ୍ଡିସନରେ ଥାଏ। ଯାହାକୁ ଆମେ ନପଢି ଗୋଟେ ଛୋଟିଆ କ୍ଲିକଟେ କରି ଏଗ୍ରି କରିଦେଇଥାଉ। ଯାହାକୁ ବ୍ୟବହାର କରି ସୋସିଆଲ ସାଇଟ ଗୁଡିକ ତୁମର ପ୍ରତିଦିନର ହାବିଟକୁ ତଦାରଖ କରି ତଥ୍ୟ ରଖିଥାନ୍ତି। ଯେପରିକି, ତୁମେ କାହାକୁ ଲାଇକ କଲ, କମେଣ୍ଟ କଲ, ତୁମେ କାହାକୁ ସେୟାର କଲ, ତୁମେ କାହାକୁ ଇଗନୋର କଲ, ତୁମେ କାହାକୁ ଫଲୋ କଲ ଇତ୍ୟାଦି। ଯାହାକୁ ବିଭିନ୍ନ ବିଜ୍ଞାପନଦାତାଙ୍କୁ ଦେଇ ସେମାନେ ପଇସା ରୋଜଗାର କରିଥାନ୍ତି।
ଆପଣ ଭାବୁଥିବେ, ଆମେ କୌଣସି ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ସମୟରେ ଅଧିକ କିଛି ତ ତା ସହ ସେୟାର କରିନଥାଉ, କେବଳ ମେଲ ଆଇଡି, ବୟସ ଇତ୍ୟାଦି କିଛି ଛୋଟ ଛୋଟ ତଥ୍ୟ ହିଁ ଦେଇଥାଉ। ଏହାସହ ମୋବାଇଲ ନମ୍ବର ମଧ୍ୟ ଦେଇଥାଉ। ହେଲେ ଏଥିରୁ ଆମର ଆଚାରବ୍ୟବହାର ସେମାନେ କିପରି ମାପୁଛନ୍ତି। ଏଠି ଆମେ କହିବାକୁ ଚାହୁଁଛୁ ଯେ, ଆପଣ ସୋସିଆଲ ମିଡିଆରେ କେତେ ସମୟ ବିତାଇଲେ, କାହାକୁ ଲାଇକ କଲେ, କେଉଁଦିନ ସୋସିଆଲ ମିଡିଆରେ ଅଧିକ ସମୟ ଦେଇନାହାଁନ୍ତି । ସେଦିନ ଆପଣ କେଉଁଠିଥିଲେ, ଯାହାକି ସେମାନେ ଜିପିଏସରୁ ଜାଣିପାରୁଛନ୍ତି। କେଉଁ କ୍ୟାମେରା ବ୍ୟବହାର କରୁଛନ୍ତି, ଫାଇଲ ସାଇଜ କେତେ ଏମିତି ସବୁକିଛି ସେମାନଙ୍କ ପାଖରେ ତଥ୍ୟ ରହୁଛି। ଯାହାକୁ ତଦାରଖ କରି ସେମାନେ ତୁମକୁ ପରଖୁଛନ୍ତି। ୨୦୧୮ ମସିହାରେ ଫେସବୁକର ସିଇଓ କହିଥିଲେ ଯେ, ଯଦି ତୁମେ ତୁମ ଡାଟା ବ୍ୟବହାର କେହି କରୁ ବୋଲି ଚାହୁଁନାହଁ, ତେବେ ଏହି ପ୍ଲାଟଫର୍ମ ବ୍ୟବହାର କରିବାକୁ ତୁମକୁ ପଇସା ଦେବାକୁ ପଡିବ। ଯାହା ଦର୍ଶାଉଛି ଯେ, ଯଦି ତୁମେ ମାଗଣାରେ ଏହାକୁ ବ୍ୟବହାର କରିବ, ତେବେ ତୁମକୁ ବିଜ୍ଞାପନ ଦେଖିବାକୁ ହିଁ ପଡିବ। ତାହା ପୁଣି ତୁମ ଡାଟାକୁ ତଦାରଖ କରି ତୁମକୁ ଦିଆଯାଉଥିବା ବିଜ୍ଞାପନ।
ଯେତେବେଳେ ତୁମେ ୱେବସାଇଟ ବ୍ୟବହାର କରିବାକୁ ଯାଅ, ସେହି ୱେବସାଇଟ ତୁମକୁ ତାର ନୂଆ ୟୁଜର ଭାବେ ବ୍ୟବହାର ଦେଖାଏ। ୱେବସାଇଟର ମେମୋରୀ ନଥିବାରୁ ତମେ ସେହି ୟୁଜର କି ନୂଆ ୟୁଜର ତାହା ସେ ଜାଣିପାରେ ନାହିଁ। ସେଥିପାଇଁ କୁକିଜ୍ ର ପରିକଳ୍ପନା କରାଯାଇଛି। ଏବେ ୱେବସାଇଟ ଖୋଲିବା ସାଙ୍ଗେ ସାଙ୍ଗେ ତୁମକୁ କୁକୁଜ୍ ଆସେପ୍ଟ କରିବାକୁ କୁହାଯାଉଛି। ଯଦି ତୁମେ ଏହାକୁ ଆସେପ୍ଟ କଲ ତାହାଲେ ୱେବସାଇଟ ବ୍ରାଉଜରରେ ତୁମର ଡିଟେଲ୍ସ ସେଭ କରି ରଖିଦେଉଛି। ସେହି କୁକିଜ୍ ହିଁ ୱେବସାଇଟର ମେମୋରୀ ଭଳି କାମ କରୁଛି। ମନେକର ତୁମେ ଏକ ନ୍ୟୁଜ ଚ୍ୟାନେଲର ୱେବସାଇଟକୁ ଗଲ, ସେଠାରେ କୁକିଜ୍ କୁ ଆସେପ୍ଟ କଲ। ଯେଉଁଠିକି ତୁମର ସବୁ ତଥ୍ୟ ସେଭ୍ ହୋଇ ରହିଲା। ପରେ ତୁମେ ଯେତେବେଳେ ସେହି ୱେବସାଇଟକୁ ପୁଣି ଥରେ ଯିବ, ୱେବସାଇଟ ତୁମର ତଥ୍ୟକୁ ମନେ ପକାଇବ। ସେହିପରି ଭାବ ଯେ ଏବେ ତୁମେ ଏକ ସପିଂ ୱେବସାଇଟକୁ ଗଲ, ସେଠାରେ ସପିଂ କଲ ସେଠାରେ ତୁମେ କାର୍ଡର ସବୁ ତଥ୍ୟ ଦେଇ ପେମେଣ୍ଟ କଲ। ପରେ ଯେତେବେଳେ ସେହି ୱେବସାଇଟକୁ ଯାଅ ତୁମର ସବୁ ଡିଟେଲ୍ସ ପୁଣି ଥରେ ଭରିବାକୁ ପଡେ ନାହିଁ। କାରଣ ତାହା ସେ ମନେ ରଖିଥାଏ। ଯାହା ଫଳରେ ତୁମର ସବୁ ତଥ୍ୟ ସେମାନଙ୍କ ପାଖରେ ଥାଏ। ସେହିପରି ଏହି କୁକିଜ ମାଧ୍ୟମରେ ତୁମେ ସବୁ ୱେବସାଇଟରେ ଦେଇଥିବା ତଥ୍ୟକୁ ସେମାନେ ଟ୍ରାକ କରନ୍ତି। ଫଳରେ ତୁମେ ସପିଂ ୱେବସାଇଟରେ ସର୍ଚ୍ଚ କରିଥିବା ଜିନିଷକୁ ନ୍ୟୁଜ ଚ୍ୟାନେଲ ୱେବସାଇଟରେ ତୁମକୁ ତାହା ଆଡ୍ ରୂପେ ଦେଖାଇବ।
ତେଣୁ ଯେଉଁ ୱେବସାଇଟରେ ଯେତେ ଅଧିକ ଲୋକ ରହିବେ, ସେଥିରୁ ସେତେ ଅଧିକ ଡାଟା ମିଳିବ, ଯାହାକି ଅଧିକ ଟଙ୍କା ରୋଜଗାର କରାଇବ। ତେଣୁ ୱେବସାଇଟ ଗୁଡିକ ସେମାନଙ୍କ ସାଇଟରୁ ସହଜରେ ତୁମକୁ ଛାଡନ୍ତି ନାହିଁ। ତେଣୁ ତୁମ ଡାଟା ହିଁ ବର୍ତ୍ତମାନ ସବୁଠାରୁ ମୂଲ୍ୟବାନ ଅଟେ। ଡାଟା ମୂଲ୍ୟ ବହୁତ ଅଧିକ ଥିବାରୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ହ୍ୟାକର ମାନେ ବିଭିନ୍ନ ସାଇଟକୁ ଆଟାକ କରୁଛନ୍ତି, ଏବଂ ଡାଟା ଚୋରି କରି ନେଉଛନ୍ତି। ୨୦୨୧ ମସିହାରେ ୪.୫ ମିଲିୟନ ଗ୍ରାହକଙ୍କ ଡାଟା ହ୍ୟାକରମାନେ ଚୋରି କରିନେଇଥିବାର ସୂଚନା ମିଳେ।
ତେବେ ତୁମର ଏହି ସବୁ ଡାଟାକୁ ବ୍ୟବହାର କରି ସେମାନେ ଜାଣିପାରନ୍ତି ଯେ, ତୁମେ କେଉଁ ଚାକିରି କରିଛ, ଆଗକୁ କଣ ଯୋଜନା ରହିଛି, ତୁମେ କେଉଁ ରାଜନୈତିକ ଦଳକୁ ପସନ୍ଦ କର। କେଉଁ ଆଡକୁ ଦେଖ ଇତ୍ୟାଦି। ଯାହାକି ତୁମେ କେବେ କେଉଁ ୱେବସାଇଟରେ କଣ ସର୍ଚ୍ଚ କରିଥିଲ, ତୁମର ହୁଏତ ମନେ ନଥିବ କିନ୍ତୁ ସେମାନଙ୍କ ପାଖରେ ସେ ତଥ୍ୟ ରହିଥିବ। ସ୍ଥିତି ଏପରି ହେଲାଣି ଯେ, ଯଦି ଗୋଟିଏ ଲୋକେସନରେ ବା ଗୋଟିଏ ଘରେ ସ୍ତ୍ରୀ କିଛି କିଣିବା ପାଇଁ ସର୍ଚ୍ଚ କରି ଦେଖିଲା, ତେବେ ତାହା ସ୍ବାମୀକୁ ଯେ କୌଣସି ଆର୍ଡ ମାଧ୍ୟମରେ ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ତେଣୁ ଏସବୁକୁ ଅନୁଶୀଳନ କରି ତୁମକୁ ସେମାନେ ସେହି ଆଡମାନ ହିଁ ଦେଖାନ୍ତି, ଯାହା ପ୍ରତି ତୁମର ଦୁର୍ବଳତା ରହିଥାଏ।
ଏହାସହ ଏହି ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ତୁମର ସାଇକୋଲୋଜି ମଧ୍ୟ ଜାଣିପାରନ୍ତି, ତୁମେ ପ୍ରଥମେ କାହାକୁ ଲାଇକ କରୁଥିଲ, ଏବେ କାହାକୁ ଲାଇକ କରୁଛ। ପୂର୍ବରୁ କେଉଁ ପରି ଭିଡିଓ ତୁମକୁ ପସନ୍ଦ ଥିଲା, ଏବେ କିପରି ଭିଡିଓ ପସନ୍ଦ ରହିଛି ଇତ୍ୟାଦି। ଯାହାକି ତୁମେ ବିନା ପଢିକରି ଟର୍ମସ ଆଣ୍ଡ କଣ୍ଡିସନରେ କ୍ଲିକ କରିଥିବାର ଫଳ ବୋଲି କହିପାରିବା। କିନ୍ତୁ ସେମାନେ ଏହାକୁ ଏପରି ଚାଲାକ ସହ କରିଛନ୍ତି ଯେ, କୌଣସି ବ୍ୟକ୍ତି ମଧ୍ୟ ଏହାକୁ ପଢିବ ନାହିଁ। ଏତେ ଛୋଟ ଛୋଟ କରିଦେଇଥିବେ ଯାହାକୁ ପଢିବା ସମୟ ସାପେକ୍ଷ। ଯାହାକି କେହି ମଧ୍ୟ କରନ୍ତି ନାହିଁ।
ତେବେ ଏହାକୁ ନେଇ ୨୦୧୩ ମସିହାରେ ଏକ ଡକ୍ୟୁମେଣ୍ଟାରୀ ତିଆରି ହୋଇଥିଲା। ଯେଉଁଥିରେ କି ଦର୍ଶାଯାଇଥିଲା ଯେ, କିପରି ସୋସିଆଲ ମିଡିଆ କମ୍ପାନୀ ମାନେ ତୁମର ଡାଟା ଚୋରି କରନ୍ତି ଓ ଏହାର ଦୁର୍ବ୍ୟବହାର କରନ୍ତି, କିପରି ସେମାନେ ଏହାକୁ ବିକ୍ରି କରନ୍ତି। ତେଣୁ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ମଧ୍ୟରେ ମଧ୍ୟ ବହୁତ ପ୍ରତିଯୋଗିତା ଥାଏ, କିପରି ସେମାନେ ତୁମର ଧ୍ୟାନ ତାଙ୍କ ଆଡକୁ ନେବେ। ଯାହା ଫଳରେ ତୁମେ ଯେତେ ସମୟ ସେହି ପ୍ଲାଟଫର୍ମରେ ରହିବ, ତାଙ୍କର ସେତେ ଡାଟା କଲେକ୍ଟ ହେବ। ଯାହା ତାଙ୍କୁ ଫାଇଦା ଦେବ। ଯେଉଁଥିପାଇଁ ସେମାନେ ଦିନ ରାତି କାମ କରୁଛନ୍ତି। କିପରି ତୁମେ ମାନେ ତାଙ୍କ ସାଇଟକୁ ବା ଆପକୁ ଯିବ। ସେଥିପାଇଁ ସେମାନେ ବୃଦ୍ଧିମାନ ଲୋକଙ୍କୁ ନିଜ କମ୍ପାନୀରେ ଜଏନ ମଧ୍ୟ କରାଉଛନ୍ତି। ଯିଏକି ତାଙ୍କ ଆପରେ ତୁମକୁ ଅଧିକରୁ ଅଧିକ ସମୟ ରଖିବା ପାଇଁ ପ୍ଲାନ କରିପାରିବ। ଦେଖିବାକୁ ଗଲେ ସେମାନେ ସଫଳ ମଧ୍ୟ ହେଉଛନ୍ତି। କାରଣ ପୂର୍ବରୁ ଆମେ ଲୋକଙ୍କ ସହ ମିଶୁଥିଲେ, ବୁଲିବାକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଅଧିକ ମୋବାଇଲରେ ସମୟ ବିତାଇବାକୁ ଚାହୁଁଛେ। ସୋସିଆଲ ମିଡିଆରେ ଅଧିକରୁ ଅଧିକ ସମୟ ଅତିବାହିତ କରୁଛେ। ଖାଲି ଶୋଇବା ସମୟକୁ ଛାଡି ପ୍ରାୟ ସବୁ ସମୟରେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ଥିବାର ଦେଖିବାକୁ ମିଳେ। ସ୍ଥିତି ଏପରି ହେଲାଣି ଯେ, ସୋସିଆଲ ମିଡିଆରେ ହିଁ ଆମର ସବୁ ସମୟ କେତେବେଳେ ଅତିବାହିତ ହୋଇଯାଉଛି, ତାହା ଜାଣିପାରୁନାହୁଁ। ଯାହାର ଫାଇଦା ସେହି କମ୍ପାନୀ ଗୁଡିକୁ ହେଉଛି। ସେମାନେ ତୁମର ଡାଟାକୁ ଅଧିକରୁ ଅଧିକ ପାଉଛନ୍ତି ଓ ଅଧିକରୁ ଅଧିକ ଏହାକୁ ତର୍ଜମା କରି ତୁମକୁ ତୁମଠାରୁ ଅଧିକ ଜାଣୁଛନ୍ତି।
ସୋସିଆଲ ମିଡିଆ କମ୍ପାନୀ ମାନେ ଏପରି ଆମକୁ ବାନ୍ଧି ରଖିସାରିଲେଣି ତାହା ନକହିବା ଭଲ। ଗୋଟିଏ ନୋଟିଫିକେସନକୁ ଖୋଲୁ ଖୋଲି ଆମେ କେତେବେଳେ ରିଲ୍ସରେ ପହଞ୍ଚିସାରିଥିବା ତାହା ଆମକୁ ଜଣାହିଁ ପଡୁନାହିଁ। ୟୁଟ୍ୟୁବରେ ତୁମେ ଶିକ୍ଷାକୁ ନେଇ ଭିଡିଓ ଦେଖୁଥିବ କେତେବେଳେ ସର୍ଟସରେ ପହଞ୍ଚିଯାଇଥିବା ତାହା ନିଜେ ବି ଜାଣିନଥିବ। ଖାଲି ସେତିକି ନୁହେଁ, ସେହି ରିଲ୍ସରେ ତୁମର କେତେ ସମୟ ଯେ ବର୍ବାଦ ହେଇଯାଉଛି, ତାହା ମଧ୍ୟ ଜଣାପଡୁନାହିଁ। ସୋସିଆଲ ମିଡିଆରେ ଆପଣଙ୍କର ପ୍ରତ୍ୟେକ ସ୍କ୍ରଲ କିଛି ନୂଆ ଜିନିଷ ଦେଖାଉଛି, ଆଉ କିଛି ନୂଆ ଦେଖିବାକୁ ଇଚ୍ଛାରେ କେତେବେଳେ ତୁମେ ସେହି ସାଇଟରେ ୪–୫ ଘଣ୍ଟା ବିତାଇଦେଉଛ ଜାଣିପାରୁନାହଁ।
ଖାଲି ସେତିକି ନୁହେଁ, ସୋସିଆଲ ମିଡିଆ ଆପଣଙ୍କୁ ଯାହା ଆପଣ ବିଶ୍ବାସ କରନ୍ତି, ସେପରି କଣ୍ଟେଣ୍ଟ ହିଁ ସେମାନେ ଦେଖାନ୍ତି। ଆପଣ ଯଦି ବାମପନ୍ଥୀ, ତାହେଲେ ବାମପନ୍ଥୀର କଣ୍ଟେଣ୍ଟ ଆପଣଙ୍କୁ ଦେଖାଇବ, ଯଦି ଦକ୍ଷିଣପନ୍ଥୀ ତାହେଲେ ସେହିପରି କଣ୍ଟେଣ୍ଟ ଦେଖାଇବ। ଯାହା ଫଳରେ କି, ଆପଣ ଯାହା ଭାବୁଥିବେ ସେ ବାବଦରେ ଏକପାଖିଆ ଭାବେ ଷ୍ଚ୍ରଙ୍ଗ ହୋଇଯିବେ। ଦୁଇ ପାଖର ତଥ୍ୟ ପାଇପାରିବେ ନାହିଁ। ଗୋଟିଏ ପାଖର ତଥ୍ୟ ଏତେ ପାଇବେ ଯେ, ଆପଣ ଭାବିବାକୁ ବାଧ୍ୟ ହେବେ ତୁମେ ଯାହା ଜାଣିଛ ତାହା ହିଁ ସବୁଠୁ ଠିକ୍। ଆଉ ତାହାର ସବିଶେଷ ଯୁକ୍ତି ମଧ୍ୟ ରଖିପାରିବେ। ଯାହା କୌଣସି ସମାଜ ପାଇଁ ଶୁଭଙ୍କର ନୁହେଁ। କାରଣ ଏଠାରେ ତୁମେ ନିରପେକ୍ଷ ହୋଇପାରିବ ନାହିଁ। ଜଣେ ସେତେବେଳେ ନିରପେକ୍ଷ ହେବ ଯେତେବେଳେ ଉଭୟ କଥା ଶୁଣିବ, କିନ୍ତୁ ତୁମ ଚଏସ ଅନୁସାରେ ସୋସିଆଲ ମିଡିଆରେ କେବଳ ଗୋଟିଏ ପାଖର କଥା ହିଁ ତୁମ ପାଖକୁ ବାରମ୍ବାର ଆସି ପହଞ୍ଚିବ। ଯାହା ତୁମକୁ ଏକରକମ ଏକପାଖିଆ କରିଦେବ।
ଏପରି ଅଭିଯୋଗ ଆମ ଭାରତରେ ମଧ୍ୟ ହୋଇଛି, କିନ୍ତୁ ଏହାର କୌଣସି ପ୍ରମାଣ ମିଳିନାହିଁ। ସେହିପରି ଏହି ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକ ହିଂସାକୁ ମଧ୍ୟ ଆହୁରି ଉସୁକାଉଛନ୍ତି। ତେବେ କିଛି ଦେଶ ଏହାକୁ ଭଲ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରନ୍ତି। ଧରିନିଅନ୍ତୁ ବାଇଡ୍ୟାନ୍ସ, ଯାହାକି ଏକ ଚାଇନା କମ୍ପାନୀ, ଯେକି ଟିକଟକର ମାଲିକ ଅଟେ। ଏହା ବର୍ତ୍ତମାନ ଆମ ଦେଶରେ ବ୍ୟାନ ହୋଇଯାଇଛି। ତେବେ ଏହି କମ୍ପାନୀର ଚାଇନାରେ ଯେଉଁ ଟିକଟକ ଭର୍ସନ ଅଛି, ତାହା ୟୁଏସଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ। ଚାଇନାରେ ଯଦି ୧୪ ବର୍ଷରୁ କମ ବୟସର କେହି ପିଲା ଏହି ଆପକୁ ଖୋଲିଲା ତେବେ ସେଠାରେ ତାକୁ ସାଇନ୍ସ ଏକ୍ସପେରିମେଣ୍ଟ, ଦେଶର ସଂସ୍କୃତି ଇତ୍ୟାଦି ଦେଖାଇବ। ଏହାସହ ଦିନକୁ ୪୦ ମିନିଟ ହିଁ ଦେଖାଇବ, ପରେ ଆପେ ଆପେ ବନ୍ଦ ହୋଇଯିବ। କିନ୍ତୁ ସେହି ଟିକଟକ ୟୁଏସରେ ଅଲଗା ଦେଖାଇବ। ଯାହା ଫଳରେ ଏକ ସର୍ଭେରୁ ଜଣାପଡିଛି ଯେ, ଆମେରିକାର ଅଧିକାଂଶ ପିଲା ଇନଫ୍ଲୁଏନସର ହେବାକୁ ଚାହୁଁଥିବାବେଳେ ଚାଇନାର ପିଲା ମହାକାଶଚାରୀ ହେବାକୁ ଚାହୁଁଥିବା ଜଣାପଡିଛି। ଯାହାକି ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି, ତାହା ସ୍ପଷ୍ଟ ଅନୁମେୟ ହେଉଛି। ପିଲାମାନେ ଏଥିପାଇଁ ଏତେ ବାୟା ହେଉଥିବା ଦେଖିବାକୁ ମିଳୁଛି, ଯେ ମାଆ ଏବେ ଅଝଟ ପିଲାଙ୍କୁ ବୁଝାଇବାକୁ ମୋବାଇଲରେ ରିଲ୍ସ ଦେଖାଉଛି। ଯାହାକି ଛୋଟପିଲାମାନେ ଏଥିରେ କେତେ ଅଭ୍ୟସ୍ତ ହୋଇଗଲେଣି ତାହା ଜଳଜଳ ଦେଖାଯାଉଛି। ତେବେ ବେଳ ଥାଉଥାଉ ଆମେ ଯଦି ସୁଧୁରିବାନି, ତେବେ ଆମ ପାଖରେ ରିଲ୍ସ ଦେଖିବାକୁ ସମୟ ଥିବ କିନ୍ତୁ ନିଜକୁ ଗଢିତୋଳିବା ସହ ବର୍ତ୍ତମାନ ସହ ବଞ୍ଚିବା ପାଇଁ ସମୟର ଅଭାବ ହୋଇଯିବ।

