ବିଜେଡି ଫୋକସରେ ମହିଳା ଭୋଟ୍

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳଗୁଡ଼ିକ ଅଙ୍କକଷା ଆରମ୍ଭ କରିଦେଲେଣି । ନିର୍ବାଚନମଣ୍ଡଳୱାରୀ କେଉଁ ସମସ୍ୟାକୁ ଆଗକୁ ଅଣାଯିବ ଓ କେଉଁ ପ୍ରସଙ୍ଗକୁ ନେଇ ଭୋଟ୍‌‌ ହାତେଇ ହେବ, ତାହାର ତାଲିକା ପ୍ରସ୍ତୁତି ଜୋରସୋର୍‌‌ରେ ଚାଲିଛି। ଗତ କିଛି ନିର୍ବାଚନରେ ଓଡ଼ିଶାରେ ମହିଳା ଭୋଟ୍‌‌ ନିର୍ଣ୍ଣାୟକ ସାଜୁଥିବାରୁ ଆସନ୍ତା ନିର୍ବାଚନରେ ମହିଳାଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଦଳଗୁଡ଼ିକ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ମୋଟ ୩କୋଟି ୩୨ଲକ୍ଷ ୩୬ହଜାର ୩୬୦ ଜଣ ଭୋଟର୍‌ ଅଛନ୍ତି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୮ଲକ୍ଷ ୫୦ହଜାର ୯୪୯ଜଣ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧କୋଟି ୬୩ଲକ୍ଷ ୮୨ହଜାର ୩୧। ଗତ ସାଧାରଣ ନିର୍ବାଚନ ହେଉ ଅବା ପଞ୍ଚାୟତ ଓ ପୌର ନିର୍ବାଚନ‌; ରାଜ୍ୟରେ ସିଂହଭାଗ ମହିଳା ଭୋଟ୍‌‌ ବିଜେଡି ନିଜ ସପକ୍ଷରେ ନେଉଥିବା ଦଳ ଦାବି କରିଆସୁଛି। ମୁଖ୍ୟତଃ ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ, ମିଶନ୍‌ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, ବିଧାନସଭା ଓ ସଂସଦରେ ମହିଳାଙ୍କ ସଂରକ୍ଷଣ ଆଦି ପ୍ରସଙ୍ଗରେ ଦଳର ଉଲ୍ଲେଖନୀୟ କାମ ପାଇଁ ବିଜେଡି ନିଜର ମହିଳା ଭୋଟ୍‌‌ବ୍ୟାଙ୍କକୁ ସୁଦୃଢ଼ କରିଚାଲିଛି। ଏଥିଯୋଗୁଁ ମହିଳା ଭୋଟ୍‌ ବିଜେଡି ପାଇଁ ଏକ ବଡ଼ ସଂପତ୍ତି ଭାବେ ବିବେଚନା କରାଯାଉଛି।

ଅନ୍ୟପଟେ ବିଜେପି ମଧ୍ୟ ରାଜ୍ୟର ୫୦ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ୍‌‌ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ମହିଳା ଭୋଟର୍‌ଙ୍କୁ ଆୟୁଧ କରିବାକୁ ଜୋରଦାର ପ୍ରୟାସ ଚଳାଇଛି। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଓ ବେଟି ବଚାଓ ବେଟି ପଢ଼ାଓ ଏବଂ ଜନଧନ ଆକାଉଣ୍ଟ ଖୋଲିବା ଭଳି ପ୍ରସଙ୍ଗକୁ ନେଇ ମହିଳାଙ୍କ ଭୋଟ୍‌‌ ହାତେଇବା ପାଇଁ ଦଳ ଚେଷ୍ଟା କରିବ ବୋଲି କୁହାଯାଉଛି। ସମାନ ଭାବେ କଂଗ୍ରେସ ମଧ୍ୟ ଅଧିକରୁ ଅଧିକ ମହିଳାଙ୍କୁ ନିଜ ପକ୍ଷକୁ ନେବା ପାଇଁ ଏଆଇସିସି ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଆଇସିସି ପକ୍ଷରୁ ରାଜ୍ୟରେ ମହିଳା ଭୋଟର୍‌ଙ୍କ ନିକଟତର ହେବା ଓ ଅଧିକରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା କଥା ଚିନ୍ତା କରାଯାଇଛି। ରାଜ୍ୟରେ ମହିଳା ଓ ପୁରୁଷ ଭୋଟର୍‌ଙ୍କ ମଧ୍ୟରେ ଅନୁପାତ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଏକ ହଜାର ପୁରୁଷ ଭୋଟର୍‌ଙ୍କ ତୁଳନାରେ ବର୍ତ୍ତମାନ ରାଜ୍ୟରେ ୯୭୨ଜଣ ମହିଳା ଭୋଟର୍‌ ଅଛନ୍ତି। ୨୦୧୯ ଚୂଡ଼ାନ୍ତ ଭୋଟର୍‌ ତାଲିକାରେ ପ୍ରତି ହଜାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୪୬ଜଣ ଥିବା ବେଳେ ୨୦୨୦ରେ ୯୫୪, ୨୦୨୧ରେ ୯୫୮, ୨୦୨୨ରେ ୯୬୪, ୨୦୨୩ରେ ୯୬୧ ରହିଥିଲା। ୨୦୨୪ରେ ଏହି ସଂଖ୍ୟା ୯୭୨କୁ ବୃଦ୍ଧି ପାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ବର୍ଷ ପରେ ବର୍ଷ ଏହି ଅନୁପାତ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!