ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏକ ଦିବ୍ୟ ଅନୁଭବ

() ଶ୍ରୀକ୍ଷେତ୍ର । ଜୀବନର ନିରାଶା ଭିତରେ ଆଶାର ବତୀଘର । ତା ବଡ଼ଦାଣ୍ଡରେ ମଥା ନୁଆଁଇବାକୁ ବ୍ୟଗ୍ର ହୋଇଉଠେ ମନ, ଦୂରରୁ ହାତଟାଣି ଡାକିନିଏ ତାରି ପତିତପାବନ । ଜୀବନ ଧନ୍ୟ ହୋଇଯାଏ ଥରେ ଦେଖିଦେଲେ ତାରି ଚକାନୟନ । ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ । ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା’ ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ। ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବା ସହ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷରେ ଅବଢା ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୩୨୦୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୨୩ ଜୁନ ୨୧ରେ ଆଉ ୧୦୦୦କୋଟି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷା, ଶ୍ରୀସେତୁ ପ୍ରକଳ୍ପ, ମୁଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ମଠ, ରଘୁନାଥ ଲାଇବ୍ରେରୀର ଉନ୍ନତିକରଣ, ଅଠରନଳା ହେରିଟେଜ୍‌ ପ୍ରକଳ୍ପ ସହ ସହରରେ ଥିବା ସମସ୍ତ ମଠ ମନ୍ଦିରର ଉନ୍ନତିକରଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।

ଏହି ଯୋଜନା ଅଧୀନରେ ଥିବା ଗୋଟିଏ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ବା ପରିକ୍ରମା ପ୍ରକଳ୍ପ। ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଏଥିରେ ରହିବ ସମସ୍ତ ମୌଳିକ ସୁବିଧା। ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ନିର୍ମାଣ ହୋଇଛି। ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, କ୍ଲକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ବିଶ୍ରାମସ୍ଥଳ, ଜେଟିପି ଆଉଟପୋଷ୍ଟ, ଏଟିଏମ କିଓସ୍କ, ଜରୁରି ଯାତାୟାତ ମାର୍ଗ, ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡସ୍କେପ ଏବଂ ଫୁଟପାଥ ଭଳି ବ୍ୟବସ୍ଥା ହୋଇଛି। ଏହାସହ ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ସେଲଟରର ବ୍ୟବସ୍ଥା କରାଯାଇଛି। ଅବାଧରେ କିଭଳି ମନ୍ଦିର ବେଢା ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ ଏବଂ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କିଭଳି ଭଲ ଅନୁଭୂତି ସାଉଁଟିବେ ସେହି ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି।

୨୦୧୯ ମେ ୩ ତାରିଖ । ପୁରୀକୁ ଏକଦମ ଶ୍ରୀହିନ କରିପକାଇଥିଲା ବାତ୍ୟା ଫନି । ଯୁଆଡେ ଦେଖିବେ ବିପର୍ଯ୍ୟୟ ଆଉ ବିଧ୍ବଂସର ମାଳମାଳ ବିଦାରକ ଚିତ୍ର  । ଏପରିକି ଫନିରୁ ବର୍ତ୍ତି ପାରିନଥିଲା ଶ୍ରୀମନ୍ଦିର । ଶଙ୍ଖକ୍ଷେତ୍ରର ଏ ଉଜୁଡା ରୂପଦେଖି ବ୍ୟଥିତ ହୋଇଯାଇଥିଲେ ମହାପ୍ରଭୁଙ୍କର ପରମଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୀକ୍ଷା ବେଳେ ପୂର୍ଣ୍ଣ ଶ୍ରୀକ୍ଷେତ୍ରର ଶ୍ରୀହିନ ରୂପ ତାଙ୍କୁ ଆନ୍ଦୋଳିତ କରିଥିଲା  । ଆଉ ସେହି ଆନ୍ଦୋଳିତ ଭାବନାରୁ ହିଁ ଜନ୍ମନେଲା ଶ୍ରୀକ୍ଷେତ୍ର ରୂପାନ୍ତରଣ ଆହ୍ୱାନ, ବଡ ଦେଉଳର ବିକାଶ ସ୍ୱପ୍ନ । ୨୦୧୯ ମସିହା ଅଗଷ୍ଟ 16 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସରକାରୀ ଓ ବେସରକାରୀ କୋଠା ସହ ଶ୍ରୀମନ୍ଦିରକୁ ଘେରି ରହିଥିଲା ମଠମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣ । ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଐତିହ୍ୟ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ରାଜ୍ୟ ସରକାର । ଏଥିପାଇଁ ମେଘନାଦ ପ୍ରାଚୀର କଡରୁ 75 ମିଟର ପରିଧିରେ ଜମି ଦାନ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଘନାଦ ପାଚେରୀ କଡ଼ରୁ ୭୫ ମିଟର ସୁରକ୍ଷା ଜୋନ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ  । ଏଥିପାଇଁ ମୋଟ ୧୫.୧୯୧ ଜମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିଲା । ଯେଉଁଥିରେ ଥିଲା ୧୨.୫୪୪୫  ଏକର ଘରୋଇ ଏବଂ ୨.୬୪୫୬ ଏକର ସରକାରୀ ଜମି  । ସରକାର ପ୍ରତ୍ୟେକ୍ଷ ଭାବେ ଜମି କିଣିବା ସହ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ କ୍ଷେତ୍ର ଆଡ଼କୁ ଅଗ୍ରସର କରାଇଥିଲେ । ୨୦୨୧ ନଭେମ୍ବର ୨୪ । ପବିତ୍ର ମାର୍ଗଶୀର କୃଷପକ୍ଷ ପଞ୍ଚମୀ ତିଥି । ଏଦି ଦିନଟି ଥିଲା ପ୍ରତି ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ମରଣୀୟ ତଥା ଶ୍ରୀମନ୍ଦିର ଇତିହାସର ବିଶେଷ ଦିନ । ଶ୍ରୀକ୍ଷେତ୍ରରେ ଆକାଶରେ ଚିକଚିକ୍ କରୁଥିଲା ସ୍ବପ୍ନର ତାରା  । ଐତିହାସିକ ଦିବସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତ୍ରିଦିନାତ୍ମକ ଯଜ୍ଞ ସହ ଅନୁଷ୍ଠିତ ହୋଇଥିଲା ଶିଳାନ୍ୟାସ ସମାରୋହ  । ନଭେମ୍ବର ୨୪ତାରିଖରେ ପୂର୍ଣ୍ଣାହୂତିରେ ଯୋଗଦେଇ ମହାପ୍ରଭୁଙ୍କ ପ୍ରତି ସମର୍ପିତ ଭାବେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ପରିକ୍ରମା ପ୍ରକଳ୍ପ ମଡେଲକୁ ଉନ୍ମୋଚନ କରିବା ସହ ବେଦ ଓ ମନ୍ତ୍ର ଧ୍ବନୀରେ ପବିତ୍ର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମେଘନାଦ ପାଚେରୀ ଚାରିପାଖେ ୭୫ ମିଟର ବ୍ୟାପ୍ତ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରାଯାଇଛି  । ଯେଉଁଥିରେ ରହିଛି ୯ ଥାକିଆ ପ୍ରକଳ୍ପ । ଯାହାକି ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସାଜିଛି ଅନନ୍ୟ ଆକର୍ଷଣ  । ପ୍ରାଚୀନ ଉତ୍କଳୀୟ କୀର୍ତ୍ତିରାଜି ଓ ଓଡ଼ିଶାର ଐତହ୍ୟ ପରମ୍ପରାକୁ ସମୃଦ୍ଧ କରି ବିଶ୍ବ ଆଗରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଯାଇପାରିଛି  । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି  । ଯେଉଁଥିରେ ବିଭିନ୍ନ ଘାସ, ପୁଷ୍ପ ଓ ଆଳଙ୍କାରିକ ବୃକ୍ଷ ରୋପଣ ହୋଇଛି । ବିନା ବାଧାରେ ଶ୍ରୀମନ୍ଦିର ପରିକ୍ରମା କରିବାକୁ ଭକ୍ତଙ୍କ ପାଇଁ ନିର୍ମିତ ହୋଇଛି ଅନ୍ତରୀଣ ପ୍ରଦକ୍ଷିଣ ମାର୍ଗ  । ଏହି ମାର୍ଗରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ପରିବେଶରେ ଶ୍ରୀମନ୍ଦିର ପରିକ୍ରମା ସହ ମହାପ୍ରଭୁ୍ଙ୍କର ନୀତିକାନ୍ତି ସମ୍ପନ୍ନ ହେବ  । ପ୍ରାକୃତିକ ପରିବେଶରେ କ୍ଳାନ୍ତ ଭକ୍ତ ବିଶ୍ରାମ ନେବାର ବ୍ୟବସ୍ଥା ହୋଇଛି  । ସେହିପରି ନିର୍ମିତ ହୋଇଥିବା ଉପଯୋଗୀ ମାର୍ଗରେ ଭକ୍ତଙ୍କ ପାଇଁ ପାନୀୟ ଜଳ, ସ୍ନାନାଗାର, ଆଶ୍ରୟସ୍ଥଳୀ, ଭକ୍ତଙ୍କ ପାଇଁ ବସିବା ସ୍ଥାନ, ସୂଚନା ପ୍ରଦାନ, ଦାନ କେନ୍ଦ୍ର ଆଦି ବ୍ୟବସ୍ଥା ରହିଛି । ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ନିର୍ମିତ ହୋଇଛି ସର୍ଭିସ କରିଡର  । ଯାହାକି ଶ୍ରୀମନ୍ଦିର ଚାରିପାଖେ ଖାଲି ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଓ ଅନୁଭୂତି ଦେବନି ବରଂ ବିନା ବାଧାରେ କାଳିଆ ଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିଛି  ।  ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!