ଚଳଚଞ୍ଚଳ ହେଲାଣି ପୁରୀ । ବିଭିନ୍ନ ରଙ୍ଗରେ ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କାଲିଠୁ ଆରମ୍ଭ ହେବ ଯଜ୍ଞ । ୬ଦିନ ଧରି ଯଜ୍ଞ ଚାଲିବ। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପର ଲୋକାର୍ପଣ କରିବେ । ଯଜ୍ଞ ସହିତ ଶ୍ରୀମନ୍ଦିର ଚାରିଦ୍ୱାରରେ ଚାରିବେଦ ପାଠ ଏବଂ ନାମ ସଙ୍କୀର୍ତ୍ତନ କରାଯିବ। ପରିକ୍ରମା ଲୋକାର୍ପଣରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି ।
୧୪ ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ନିଜ ଅଧିନକୁ ନେବ ପୋଲିସ୍ ପ୍ରଶାସନ । ଭକ୍ତ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ଦର୍ଶନ କରି ଫେରିବେ ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଶ୍ରଦ୍ଧାଳୁ ସମଙ୍ଗ ପାର୍କିଂରୁ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରକୁ ଆସିବେ ।
ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଙ୍ଗ ବ୍ୟବସ୍ଥାକୁ ନଜରରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛି ପୁରୀ ପୋଲିସ। ସହର ଓ ସହର ବାହାରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ସ୍ପେଶାଲ କଣ୍ଟ୍ରୋଲ ରୁମ ମାଧ୍ୟମରେ ନଜର ରଖାଯିବ। ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ସମସ୍ୟା ଦୂର ପାଇଁ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସାଧାରଣ ଭକ୍ତ ଓ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ଦିଗକୁ ବିଶେଷ ଧ୍ୟାନ ଦିଆଯାଉଛି।

