ସୁଲତା ଦେଓ: ସରପଞ୍ଚରୁ ସାଂସଦ ସଫଳ ଯାତ୍ରା

ବିବିଧତା ହେଉଛି ଭାରତର ସୌନ୍ଦର୍ଯ୍ୟ । ଭିନ୍ନତା ମଧ୍ୟରେ ଏକତା ଉପରେ ଆଧାରକରି ଭାରତର ଗଣତନ୍ତ୍ର ଜାତୀୟତା ଧାରଣା ଉପରେ ଆଧାରିତ । ଭାରତ ହେଉଛି ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର । ଭାରତର ଗଣତନ୍ତ୍ରର ବିଶ୍ବବ୍ୟାପୀ ସୁନାମ ରହିଛି  । ଆମ ଦେଶରେ ଲୋକତନ୍ତ୍ର ହିଁ ସର୍ବେସର୍ବା  । ଏଠି ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇପାରନ୍ତି, ଚାଷୀର ପୁଅ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି  । ସାଧାର ଗୃହିଣୀଟିଏ ସାଂସଦ ଆଉ ସରପଞ୍ଚଟିଏ ରାଜ୍ୟସଭାକୁ ନିର୍ବାଚିତ ହୋଇପାରେ । ଭାରତର ଏ ସୁନ୍ଦର ପରମ୍ପରା ଓଡ଼ିଶାରେ ବି ପ୍ରତିଫଳିତ ହୋଇଛି  । ଆଉ ସେ ପ୍ରତିଫଳନ ହେଉଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ ।

ଯାଜପୁର ବରୀ ବ୍ରହ୍ମବରଦାର ବୋହୂଟିଏ ଦିନେ ଦେଶର ଗଣତନ୍ତ୍ରର ମନ୍ଦିରରେ ଲୋକଙ୍କ ପାଇଁ ସ୍ବର ଉଠାଇବ, ଓଡ଼ିଶାର ପ୍ରତିନିଧିତ୍ବ କରିବ । ଏକଥା ଯଦିଓ ସ୍ବପ୍ନ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ତାହା ଆଜି ସାକାର ହୋଇଛି । ସରପଞ୍ଚରୁ ସାଂସଦ ହୋଇ ନାରୀ ସଶକ୍ତିକରଣ ଓ ଗଣତନ୍ତ୍ରର ଗରିମାମୟ ଅଧ୍ୟାୟକୁ ଗୌରବମଣ୍ଡିତ କରିଛନ୍ତି ସୁଲତା ଦେଓ । କଠିନ ପରିଶ୍ରମ, ସମର୍ପିତ ଭାବ ଓ ସେବା ମନୋବୃତ୍ତି ଯେ ସଫଳତାକୁ ହାତପାହାନ୍ତାକୁ ଆଣିବ ଏବଂ ଲୋକଙ୍କ ପାଇଁ ସ୍ବର ଉଠାଇବାକୁ ସୁଯୋଗ ଦେବ ସେକଥାର ଉଦାହରଣ ହେଉଛନ୍ତି ସୁଲତା ।

ତୃଣମୂଳସ୍ତରରୁ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ପହଞ୍ଚିବା ଜଣେ ରାଜନେତା ପାଇଁ ସହଜ ନୁହେଁ । କିନ୍ତୁ ଲୋକଙ୍କ ପାଇଁ କାମ କରିବାର ପ୍ରତିବଦ୍ଧତା ଓ ସମର୍ପଣ ଭାବ ଏହି ପଥକୁ ସହଜ କରିଥାଏ । ଯାହା ପ୍ରତିଫଳିତ ହୋଇଛି ସୁଲତାଙ୍କ ନିକଟରେ । ଛାତ୍ରାବସ୍ଥାରୁ ହିଁ ସେବାର କରିବାର ଝୁଙ୍କ ନେଇସାରିଥିଲେ ସୁଲତା  । ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଜୀବନ  । ଗଣତନ୍ତ୍ରର ତୃଣମୂଳସ୍ତର କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ସେ ଅଂଶଗ୍ରହଣ କରିଥିଲେ  । ୨୦୦୨ ମସିହାରେ ସେ ବରୀ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସଫଳଭାବେ ଦାୟିତ୍ବ ତୁଲାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ସୁଲତା  । ପରେ ୨୦୦୭ ମସିହାରେ ଯାଜପୁର ଜିଲ୍ଲା ପରିଷଦ ଜୋନ ୩୬ରୁ ସଭ୍ୟା ଭାବେ ନିର୍ବାଚିତ ହେଲେ । ୨୦୦୯ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଲେ । ଏହିଠୁ ହି ସୁଲତାଙ୍କ ରାଜନୈତିକ ଜୀବନରେ ଆସିଥିଲା ବଡ଼ ପରିବର୍ତ୍ତନ  । ୨୦୧୨ରେ ବିଜେଡିରୁ ବରୀ ବିଧାୟକ ଦେବାଶିଷ ନାୟକ ନିଲମ୍ୱିତ ହୋଇଥିଲେ  । ଏହି ସମୟରେ ସୁଲତାଙ୍କ ଉପରେ ଭରସା କରିଥିଲେ ବିଜେଡି ସୁପ୍ରିମୋ  ।  ୨୦୧୨ରୁ ୨୦୧୩ ଯାଏ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଲେ ସୁଲତା । ପରେ ତାଙ୍କୁ ବିଜେଡିର ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଥିଲା  ।  ୨୦୧୬ରୁ ୨୦୧୮ ଯାଏ ପ୍ୟାନେଲିଷ୍ଟ ଭାବେ ସେ ଦାୟିତ୍ବ ତୁଲାଇଥିଲେ  । ତାଙ୍କର ବଳିଷ୍ଠ ଯୁକ୍ତି ଓ ଆକ୍ରାମଣାତ୍ମକ କାର୍ଯ୍ୟଶୈଳୀରେ ବିଜେଡିର ବରିଷ୍ଠ ନେତୃତ୍ବ ଆକର୍ଷିତ ହୋଇଥିଲେ ।

୨୦୧୮​‌ରେ ବିଜେଡି ସୁଲତାଙ୍କୁ ଦେଇଥିଲା ବଡ଼ ଦାୟିତ୍ବ  । ଦୁଇ ଦୁଇଟି ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ ସୁଲତା  । ବିଜେଡି ମୁଖପାତ୍ର ସହ ରାଜ୍ୟ ବିଜୁ ମହିଳା ଜନତା ଦଳର ସମ୍ପାଦିକା ଭାବେ ନିଯୁକ୍ତ ହୋଇଥିଲେ । ୨୦୨୦ ମସିହାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହିତ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ସୁଲତା ଦେଓ  । ଗଣମାଧ୍ୟମରେ କୌଣସି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ରଖୁଥିବା କିମ୍ବା ଟିଭି ବିତର୍କରେ ସାମିଲ ହେଉଥିବା ବିଜେଡିର ଅନ୍ୟତମ ପ୍ରମୁଖ ମୁଖପାତ୍ର ଥିଲେ ସୁଲତା ଦେଓ । ଲୋକଙ୍କ ପ୍ରତି ସେବା ମନୋଭାବ, ଦଳ ପ୍ରତି ଆନୁଗତ୍ୟ କାରଣରୁ ୨୦୨୨ ମସିହାରେ ସୁଲତାଙ୍କୁ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ସାଂସଦ ଭାବେ ସୁଲତା ନିର୍ବାଚିତ ହୋଇଥିଲେ  । ରାଜ୍ୟସଭା ସାଂସଦ ଭାବେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଲୋକଙ୍କ ସ୍ବର ସାଜିଛନ୍ତି ସୁଲତା  । ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ ଲୋକଙ୍କର ଆସ୍ଥାଭାଜନ ହୋଇଛନ୍ତି  । ସେହିପରି ଓଡ଼ିଶାରୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିବା ପ୍ରଥମ ମହିଳା ସାଂସଦ ହେବାର ଗୌରବ ଲାଭ ମଧ୍ୟ କରିଛନ୍ତି  । ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇଛନ୍ତି  । ତାଙ୍କ ଦକ୍ଷତା ଓ ଜନସେବା ନୀତି ହିଁ ତାଙ୍କୁ ସଫଳତା ପ୍ରଦାନ କରିବା ସହ ଜଣେ ସରପଞ୍ଚରୁ ସାଂସଦ ଯାତ୍ରାକୁ ପୁଷ୍ପମଣ୍ଡିତ କରିଛି  ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!