ସତ୍ୟବାଦୀରେ ଶିକ୍ଷାର କୋଣାର୍କ

() ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଉଦ୍ଘାଟିତ ହେଲା। ଜାନୁଆରୀ ୨୭ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ସେହିପରି ଫେବ୍ରୁଆରୀ ୩ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବ ଓ ଅସ୍ମିତାର ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ସଂସ୍କୃତି, ଜୀବନଧାରା, ପରମ୍ପରାକୁ ଭିତ୍ତି କରି ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସତ୍ୟବାଦୀ ଓଡିଆ ନବଜାଗରଣର ପୀଠ।

ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ସତ୍ୟବାଦୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ରଙ୍କୁ ସମ୍ମାନ ଜଣାଇଥିଲେ। ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇଥିଲେ। ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର।

ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଆବଶ୍ଯକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସତ୍ୟବାଦୀରେ ୨୦୧୮ ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ମନୋରମ ଦିଶୁଛି। ଏଥିରେ ସ୍କୁଲ ଅଫ ଲର୍ଣ୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!