ମିଶନଶକ୍ତି ବଜାର କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ରାଜ୍ୟରେ ମହିଳାଙ୍କ ସ୍ୱାବଲମ୍ବନ ଓ ଗୌରୋବୋଜ୍ଜ୍ୱଳ ଯାତ୍ରା ପଥରେ ମିଶନଶକ୍ତି ବଜାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମିଶନ ଶକ୍ତି ଜରିଆରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ମହିଳା ସଶକ୍ତିକରଣର ଲକ୍ଷ୍ୟ ପୂରଣ ହୋଇ ପାରିବ। ଏହି କ୍ରମରେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ମାଣାଧୀନ ମିଶନଶକ୍ତି ବଜାର ପରିଦର୍ଶନ କରିବା ସହ ଏହାକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଶନ ଶକ୍ତି ବଜାର କେବଳ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଉଦାହରଣ ହେବ ନାହିଁ, ସହରୀ ଗ୍ରାହକଙ୍କ ପାଇଁ ଏକ ପ୍ରମୁଖ କାରବାର ପେଣ୍ଠରେ ପରିଣତ ହେବ। ‘୫-ଟି’ ଉପକ୍ରମରେ ଏହାକୁ ବିକଶିତ କରାଯାଉଛି ଏବଂ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ବିକ୍ରୟ କରାଯିବ। ୧୦ ହଜାର ବର୍ଗଫୁଟ ପରିସରରେ ନିର୍ମାଣ ହୋଇଥିବା ଏହି ବଜାରରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ସହ ପ୍ରଦର୍ଶନ କରାଯିବ। ସାରା ରାଜ୍ୟରୁ ମିଶନ୍‌ ଶକ୍ତି ମହିଳାମାନେ ସେମାନଙ୍କ ଉତ୍ପାଦ ଏଠାରେ ବିକ୍ରି କରିବାର ସୁଯୋଗ ପାଇବେ। ଆରମ୍ଭରୁ ଏଠାରେ ପ୍ରାୟ ୧ ହଜାର ପ୍ରକାର କୃଷି ଓ ଅଣକୃଷି ଜାତୀୟ ସାମଗ୍ରୀ ବିକ୍ରୟ କରାଯିବ। ଏଥିରେ ଢିଙ୍କି କୁଟା ନାଲି ଚାଉଳ, ବ୍ରହ୍ମପୁର ଆଚାର, କନ୍ଧମାଳ ହଳଦୀ, ନୂଆପଡ଼ା ମହୁ, ମୟୂରଭଞ୍ଜର ସବାଇ ଘାସ ଉତ୍ପାଦ, କେନ୍ଦ୍ରାପଡ଼ାର ସୁବର୍ଣ୍ଣ ଘାସ (କାଇଁଚ), କେନ୍ଦୁଝର ଫୁଲବଡ଼ି ସମେତ ରାଜ୍ୟର ଅନ୍ୟ ପ୍ରମୁଖ ବା ପ୍ରସିଦ୍ଧ ସାମଗ୍ରୀମାନ ଏଠାରେ ଉପଲବ୍ଧ ହେବ।

ଏହି ବଜାର ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ପାଇଁ ଏକ ପ୍ରମୁଖସ୍ଥଳୀ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଏହି ବଜାର ଭୁବନେଶ୍ୱର ଗ୍ରାହକଙ୍କ ଖୁଚୁରା ଆବଶ୍ୟକତା ପୂରଣ କରିବା ସହ ବଡ କ୍ରେତାମାନଙ୍କୁ ଉତ୍ପାଦକାରୀ ଏସ୍‌ଏଚ୍‌ଜି ମାନଙ୍କ ସହିତ ଯୋଗାଯୋଗର ମାଧ୍ୟମ ସାଜିବ। ମହିଳାମାନଙ୍କ ଦ୍ୱାରା ପ୍ରାମାଣିକ ହସ୍ତତନ୍ତ ଉତ୍ପାଦ ପାଇଁ ଏହା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ପାଇବ। ୫-ଟି ପଦକ୍ଷେପ ଅନୁଯାୟୀ ନିଆଯାଇଥିବା ମିଶନ୍‌ ଶକ୍ତି ବଜାର ଏସ୍‌ଏଚ୍‌ଜି ଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି କାର୍ଯ୍ୟ ଅଗ୍ରଗତିରେ ୫-ଟି ଅଧ୍ୟକ୍ଷ ସନ୍ତୋଷବ୍ୟକ୍ତ କରିବା ସହ ଏହା ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ସର୍ବୋତ୍ତମ ଉଦାହରଣ ବୋଲି କହିଛନ୍ତି। ମହିଳା ଏସ୍‌ଏଚଜି ଦ୍ୱାରା ଗଠିତ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ବଜାର ପରିଚାଳିତ ହେବ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!