ନବୀନ ଦେଲେ ନିଯୁକ୍ତି ପତ୍ର

ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍‌ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ଲକ୍ଷ୍ୟ ନେଇ ଆମର 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହାଦ୍ବାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪୬୦୫ଟି ନୂଆ କ୍ଲାସରୁମ୍‌, ୧୬,୯୨୦ଟି ସ୍ମାର୍ଟ କ୍ଲାସରୁମ, ୭୮୬୩ଟି ଆଧୁନିକ ଲାବୋରେଟୋରୀ, ୭୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି ।

ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ 5T ମନ୍ତ୍ର ଆଧାରରେ ଶିକ୍ଷା ବିଭାଗ ଏବେ ଶୀର୍ଷରେ ପହଞ୍ଚି ପାରିଛି । ଶିକ୍ଷାର ମାନ ବୃଦ୍ଧି ହେଲେ, ଦେଶର ବିକାଶ ହୁଏ ବୋଲି ସେ ମତ ଦେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ନୈତିକ ବିଚାରଧାରାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ନବନିଯୁକ୍ତ ଶିକ୍ଷୟିତ୍ରୀ ରେଶମା ବେହେରା ଓ ସଶ୍ମିତା ନାୟକ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ରେଶମାଙ୍କ ପରିବାରରେ ସମସ୍ତେ ଶିକ୍ଷକ ବୃତ୍ତିରେ ଥିବାବେଳେ, ସଶ୍ମିତା କହିଥିଲେ ଯେ ତାଙ୍କ ପରିବାରରେ ସେ ପ୍ରଥମ ସରକାରୀ କର୍ମଚାରୀ। ଉଭୟ ଶିକ୍ଷକ ବୃତ୍ତିରେ ଯୋଗଦାନ କରିଥିବାରୁ ଏବଂ 5T ଆଧାରରେ ସ୍ବଚ୍ଛ ଓ ତ୍ବରିତ୍ବ ପ୍ରକ୍ରିୟାରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ପ୍ରତିବଦ୍ଧତାର ସହ ଶିକ୍ଷା ପ୍ରଦାନ କରିବେ ବୋଲି କହିଥିଲେ ।ବିଭାଗୀୟ ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!