ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଯିବି: ପାଣ୍ଡିଆନ

ମୋ ଉପରେ ଟମାଟୋ, ଅଣ୍ଡା, ଚପଲ, କାଳିମାଡ ବା ଗୁଳିମାଡ କରନ୍ତୁ। କିଛି ପରବାୟ ନାହିଁ। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି। ଏମିତିକି ଶକ୍ତ ବାର୍ତ୍ତା ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଦିନିକିଆ ଗଂଜାମ ଜିଲ୍ଲା ଗସ୍ତରେ ଥିବା ଫାଇଭ୍ ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଆଜି ଜଣେ ଦୁର୍ବୃତ୍ତ ବେଲଗୁଣ୍ଠା ଠାରେ ଟମାଟୋ ମାଡ଼ କରିଥିଲେ। ସଭାସ୍ଥଳରେ ପୂର୍ବରୁ ଜଗି ରହିଥିବା ଏହି ଅସାମାଜିକ ଯୁବକ ହଠାତ ପାଣ୍ଡିଆନଙ୍କ ପାଖକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ପୂର୍ବରୁ ସେ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗି ଥିଲେ। ତେବେ ଏହି ଘଟଣା ଫାଇଭ ଟି ଅଧ୍ଯକ୍ଷଙ୍କୁ ମୋଟେ ବିଚଳିତ କରି ନଥିଲା। ହସି ହସି ସେ ମଂଚ ଉପରକୁ ଯାଇ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଅଭିବାଦନ ଜଣାଇବା ସହ ସମ୍ବୋଧିତ କରିଥିଲେ। ଏହି ଘଟଣା ପରେ ଟମାଟୋ ମାଡ କରିଥିବା ଦୁର୍ବୃତ୍ତକୁ ପୋଲିସ କାବୁ କରିଥିଲା। ନୂଆ ଓଡ଼ିଶାର ଗଠନ ପାଇଁ ସଂକଳ୍ପବଦ୍ଧ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲାରୁ ଜିଲ୍ଲା ବୁଲି ସେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନା କରି ତ୍ବରିତ ସମାଧାନ ପାଇଁ ଏକ ଅଭିଯାନ ଚଳାଇ ଆସିଛନ୍ତି। ଲୋକଙ୍କ ସହ କଥା ହେଉଛନ୍ତି ଲୋକଙ୍କ ସମସ୍ଯାର ସମାଧାନ କରିଛନ୍ତି। ତେବେ ଏହା କିଛି ଲୋକଙ୍କ ପାଇଁ ଅସହ୍ଯ ହୋଇ ପଡିଛି। କାର୍ଯ୍ଯକ୍ରମସ୍ଥଳରେ ଜନତାଙ୍କ ଖଚାଖଚ ଭିଡ଼ ବିକାଶ ବିରୋଧୀଙ୍କୁ ହଜମ ହେଉନି।

ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ। ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି। ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପିପଳପଙ୍କା ଜଳପ୍ରକଳ୍ପ ଲାଗି ୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି।  ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି ୨କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଋଷିକୁଲ୍ଯା କଲେଜ ଲାଗି ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି ୧ କୋଟି ୯ ୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି ।

ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତି ଲାଗି ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ମା ଖୁଣ୍ଟେଶ୍ବରୀ ମନ୍ଦିର ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି। ତ୍ରିପଳପଙ୍କା ଡ୍ଯାମ ଓ ସୋରଡା ଜଳଭଣ୍ଡାର ବିସ୍ଥାପିତଙ୍କ ପଟ୍ଟା ସମସ୍ଯାର ସମାଧାନ ହୋଇଛି। ୬୦-୭୦ ବର୍ଷ ଧରି ଲାଗି ରହିଥିବା ସମସ୍ଯାର ଅନ୍ତଘଟିବା ସହ ସମସ୍ତ ବିସ୍ଥାପିତ ପଟ୍ଟା ପାଇଛନ୍ତି। ବେଲଗୁଣ୍ଠାର ପିତଳ ମାଛ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଯିବ। ଏ ଦିଗରେ ସହଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଛନ୍ତି- ମନ୍ଦିର, ମସଜିଦ, ଚର୍ଚ୍ଚ ସମ୍ପର୍କରେ ୨୭ ତାରିଖ ସୁଦ୍ଧା ଖୁସି ଖବର ମିଳିବ। ଯେଉଁମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ ବି ଖୁବ ଶୀଘ୍ର ଭତ୍ତା ମିଳିବ।ରାଜ୍ଯ ସରକାର ଗର୍ଭବତୀଙ୍କ ଉନ୍ନତି ଲାଗି ମମତା ଯୋଜନା କରିଛନ୍ତି। ଆଗରୁ ଗର୍ଭବତୀଙ୍କୁ ୫ ହଜାର ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୧୦ ହଜାର ଟଙ୍କା ସେମାନେ ପାଉଛନ୍ତି। ଆଗରୁ କଳାକାର ଓ ବୁଣାକାର ଭତ୍ତା ଥିଲା ୧୨ ଶହ ଟଙ୍କା। ବର୍ତ୍ତମାନ ତାହା ୨ ହଜାର ଟଙ୍କା ହୋଇଛି। ଯୁକ୍ତ ୩ ଛାତ୍ର ଲାଗି ନୂଆ-ଓରେ ୯ ହଜାର ଟଙ୍କା ବୃତ୍ତି ମିଳିବ। ସେହିପରି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ମିଳିବ। ୭ ଦିନ ମଧ୍ୟରେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ବାପାମାଙ୍କ ଉପରେ ବୋଝ ହ୍ରାସ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହାତକୁ ନେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ମାମାନଙ୍କୁ ୧୦ ଲକ୍ଷ, ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ସହାୟତା କରାଯାଉଛି। ଯୁବପିଢିଙ୍କୁ ବ୍ଯବସାୟ ଲାଗି ଲକ୍ଷେ ଟଙ୍କାଯାଏ ବିନା ସୁଧରେ ଋଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବେଲଗୁଣ୍ଠା ପ୍ରବାଦପୁରୁଷ ବିଜୁବାବୁ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

Post Views98 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!