କଟିପାରେ ଅନନ୍ତଙ୍କ ଟିକେଟ୍

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଜେନାଙ୍କ ପାଇଁ ୨୦୨୪ ନିର୍ବାଚନ ଏତେ ସହଜ ହୋଇନପାରେ । ଏପରିକି ଦଳ ତାଙ୍କୁ ପୁଣିଥରେ ଯେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ ତାହାକୁ ନେଇ ସନ୍ଦେହ ଉପୁଜିଲାଣି । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ବୁନୁଙ୍କୁ ବିରୋଧ କରିବାକୁ ଦଳ ଭିତରେ ମୁଣ୍ଡ ଟେକିଲେଣି ଅନେକ ପ୍ରଭାବଶାଳୀ ଗୋଷ୍ଠୀ । ଏପରିକି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପାଖରେ ଏନେଇ ଅସନ୍ତୁଷ୍ଟ ଗୋଷ୍ଠୀ ଫେରାଦ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ମେୟରରୁ ୨୦୧୯ରେ ପ୍ରଥମ ଥର ବିଧାୟକ ହୋଇଥିବା ବୁନୁ ପୂର୍ବରୁ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ବ୍ଲୁ-ଆଏଡ ବୟ ଥିଲେ । ଭୁବନେଶ୍ୱରରେ ଦଳର ସଭା ସମିତି ହେଲେ ପ୍ରଥମେ ବୁନୁଙ୍କୁ ଖୋଜା ପଡୁଥିଲା । କାରଣ ଦଳର ସଙ୍ଗଠନ ସହ ଯୋଡି ହୋଇ ରହିଥିଲେ ବୁନୁ । କିନ୍ତୁ ବିଧାୟକ ହେବା ପରେ ବୁନୁଙ୍କ ଏକଚାଟିଆ ନୀତିକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହା ଏବେ ଉଗ୍ର ରୂପ ଧାରଣ କରିଥିବା କୁହାଯାଉଛି । ବୁନୁଙ୍କୁ ପୁଣିଥରେ ଯେପରି ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ନ ମିଳିବ ସେଥିପାଇଁ ସବୁ ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିଥିବା କୁହାଯାଉଛି ।

ବୁନୁଙ୍କୁ ବିରୋଧ କରୁଥିବା ଅସନ୍ତୁଷ୍ଟ ଗୋଷ୍ଠୀର ଗୋଟିଏ ଦାବି, ଅନ୍ୟ ଯାହାକୁ ଟିକେଟ ଦେଲେ ଚଳିବ କିନ୍ତୁ ବୁନୁଙ୍କୁ ନୁହେଁ । ଏଭଳି ବାଣୀ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଇଥିବା ଶୁଣିବାକୁ ମିଳୁଛି । ଯଦି ବୁନୁଙ୍କୁ ଟିକେଟ ଦିଆଯିବ ତେବେ ଆଗାମୀ ନିର୍ବାଚନରେ ଦଳ ପାଇଁ କାମ କରିବେନି ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ରୋକଠୋକ ଶୁଣାଇଥିବା କୁହାଯାଉଛି । ଯାହା ଏବେ ଦଳର ଷ୍ଟ୍ରାଟେଜିଷ୍ଟଙ୍କ ଚିନ୍ତା ବଢାଇଥିବା ଚର୍ଚ୍ଚା ହେଉଛି ।

ଏମିତିରେ ଭୁବନେଶ୍ୱରର ବିଜେଡି ସଙ୍ଗଠନରେ ବୁନୁଙ୍କର ଆଉ ପୂର୍ବ ପତିଆରା ନଥିବା କୁହାଯାଉଛି । ଗତ ନିର୍ବାଚନରେ ମଧ୍ୟ ବୁନୁଙ୍କର ବିଜୟ ମାର୍ଜିନ ବହୁତ କମ ଥିଲା । କେବଳ ଏତିକି ନୁହେଁ ନିର୍ବାଚନ ପରେ ପରେ ବୁନୁ ବିବାଦକୁ ମଧ୍ୟ ଟାଣି ହୋଇ ଆସିଥିଲେ । ଯାହା ବୁନୁଙ୍କ ରାଜନୈତିକ ଇମେଜକୁ କିଛି ମାତ୍ରାରେ ଖରାପ କରିଥିଲା ବୋଲି କୁହାଯାଏ । ଆଉ ଏସବୁ ଭିତରେ ଏବେ ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିବା ଏବେ ବୁନୁଙ୍କ ନିଦ ହଜାଇ ଦେଇଥିବା କୁହାଯାଉଛି । କାହାକୁ କେମିତି ମ୍ୟାନେଜ କରିବେ ସେନେଇ ବୁନୁୁଙ୍କୁ ବୁଦ୍ଧିବାଟ ଦିଶୁନଥିବା ଚର୍ଚ୍ଚା ହେଉଛି । ଯଦି ଏଭଳି ସ୍ଥିତି ନିର୍ବାଚନ ପର୍ଯ୍ୟନ୍ତ ଜାରି ରୁହେ ତେବେ ବୁନୁଙ୍କୁ ଟିକେଟ ମିଳିବାର ଚାନ୍ସ ଯଥେଷ୍ଟ କମିପାରେ ବୋଲି କୁହାଯାଉଛି । କାରଣ ବୁନୁଙ୍କୁ ବିରୋଧ କରୁଥିବା ଗୋଷ୍ଠୀରେ ଦଳର ଅନେକ ପ୍ରଭାବଶାଳୀ ନେତା ରହିଥିବା ଶୁଣିବାକୁ ମିଳୁଛି । ଯେଉଁମାନଙ୍କ କଥା ନ ରହିଲେ ଏହା ଦଳ ପାଇଁ ବୁମେରାଂ ହେବ ବୋଲି କୁହାଯାଉଛି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!